ଦୁର୍ଘଟଣାର ଶିକାର ହେଲେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ପୁଅ, ବଞ୍ଚିଗଲା ଜୀବନ

ଲକ୍ଷ୍ନୌ: କାର ଦୁର୍ଘଟଣାର ସମ୍ମୁଖୀନ ହେଲେ ତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପୁଅ। ଜାଲୋନ୍‌ର ଆଲାମପୁର ବାଇପାସ୍ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ତାଙ୍କର ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଯୋଗେଶ କୁମାର ମୌର୍ଯ୍ୟ ନିଜ ଫର୍ଚୁନର ଗାଡ଼ିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ଫର୍ଚୁନରଟି ଏକ ଟ୍ରାକ୍ଟର ସହ ଜୋରରେ  ଧକ୍କା ଖାଇଥିବା ବେଳେ ଗାଡ଼ି ନଷ୍ଟ ହୋଇଯାଇଥିବା ଦେଖାଯାଇଛି। ସୂଚନା ପାଇବା ପରେ କାଲପି କୋତୱାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ତେବେ ଶୁକ୍ରବାର ଦିନ କେଶବ ପ୍ରସାଦ ମୌର୍ଯ୍ୟ ଦ୍ୱିତୀୟ ଥର ପାଇଁ ତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କେଶବ ପ୍ରସାଦ ମୌର୍ଯ୍ୟ ସିରଥୁ ବିଧାନସଭା ଆସନରୁ ସପା ପ୍ରାର୍ଥୀ ପଲ୍ଲବୀ ପଟେଲଙ୍କଠାରୁ ହାରିଯାଇଥିଲେ। ହେଲେ ତାଙ୍କ ଉପରେ ପୁନର୍ବାର ଆତ୍ମବିଶ୍ୱାସ ପ୍ରକାଶ କରି ଦଳ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି।

ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ଭବ୍ୟ ଓ ବିଶାଳ ଶପଥ ଗ୍ରହଣ ଉତ୍ସବରେ ଶୁକ୍ରବାର ଦିନ ଯୋଗୀଙ୍କୁ ରାଜ୍ୟପାଳ ଆନନ୍ଦୀବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଯୋଗୀଙ୍କ ସିହତ ୫୨ ଜଣ ମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୧୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ, ୧୪ ରାଷ୍ଟ୍ରମନ୍ତ୍ରୀ-ସ୍ବାଧୀନ ଦାୟିତ୍ବ ଏବଂ ୨୦ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୫୨ ମନ୍ତ୍ରୀଙ୍କ ମଧ୍ୟରେ ୩୨ ଜଣ ନୂଆ ମୁହଁ ଅଛନ୍ତି।

ସମ୍ବନ୍ଧିତ ଖବର