ଭାରତୀୟ ସଂସ୍କୃତି, ହିନ୍ଦୁ ଧର୍ମ ସମ୍ପର୍କରେ ପ୍ରିୟଙ୍କା କିଛି ଜାଣନ୍ତି ନାହିଁ: ଦିନେଶ ଶର୍ମା

‘ଦେଶରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ’ ପ୍ରିୟଙ୍କା

ଲକ୍ଷ୍ନୌ: ଦେଶରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ଧର୍ମର ପ୍ରତୀକ ଗୈରିକ ପୋଷାକ ପରିଧାନ କରୁଛନ୍ତି। ଗୈରିକ ରଙ୍ଗ ଶାନ୍ତି ଓ ସଦ୍‌ଭାବନାର ପ୍ରତୀକ। ଏଠାରେ ହିଂସା ଓ ପ୍ରତିଶୋଧର ସ୍ଥାନ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରୁଛନ୍ତି ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ପ୍ରିୟଙ୍କା କହିଛନ୍ତି। ଉତ୍ତର ପ୍ରଦେଶ ପୁଲିସର ବର୍ବରତା ଓ ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ୨୩ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରିୟଙ୍କା କହିଛନ୍ତି। ବର୍ତ୍ତମାନ ତାଙ୍କ ନିଜର ସୁରକ୍ଷା ବଡ଼ ପ୍ରଶ୍ନ ନୁହେଁ। ଉତ୍ତର ପ୍ରଦେଶରେ ସାଧାରଣ ‌ଲୋକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ। ରାଜ୍ୟରେ ବର୍ତ୍ତମାନ କ’ଣ ଘଟୁଛି ସେ ସମ୍ପର୍କରେ ଜାଣିବାକୁ ସାଧାରଣ ଲୋକେ ବ୍ୟଗ୍ର ହେଉଛନ୍ତି। ରାଜ୍ୟରେ ବେକାରୀମାନଙ୍କୁ ରୋଜଗାର ନାହିଁ। ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ମହିଳାମାନେ ଅସୁରକ୍ଷିତ। ରାଜ୍ୟରେ ବର୍ତ୍ତମାନ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରିୟଙ୍କା କହିଛନ୍ତି। ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟ ସାମ୍ନା କରୁଥିବାବେଳେ ସରକାର ମାମୁଲି ସମସ୍ୟାକୁ ନେଇ ଯେଉଁଭଳି ଉଗ୍ର ହେଉଛନ୍ତି ତାହା ଚିନ୍ତାଜନକ। ସେ ସ୍କୁଟରରେ ବସି ଲକ୍ଷ୍ନୌ ଯିବାବେଳେ ତାଙ୍କ ସ୍କୁଟର ଚାଳକଙ୍କ ନାମରେ ଯେଉଁଭଳି ଚାଲାଣ କଟାଗଲା, ତାହା ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତିଶୋଧ ରାଜନୀତି ବୋଲି ପ୍ରିୟଙ୍କା କହିଛନ୍ତି। ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ଯେଉଁଭଳି ଦୁର୍ବ୍ୟବହାର କରିଛି ତାହାର ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ପ୍ରିୟଙ୍କା ଦାବି କରିଛନ୍ତି। ତେବେ ପ୍ରିୟଙ୍କାଙ୍କ ହିନ୍ଦୁ ଓ ଗୈରିକ ବସ୍ତ୍ର ମନ୍ତବ୍ୟ ବିରୋଧରେ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର