ନୂଆଦିଲ୍ଲୀ: ଗୁଣସୂତ୍ର-କ୍ରମ ପରୀକ୍ଷା ପରେ ପ୍ରଥମ କରି ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିଆବାଦର ଦୁଇଜଣ ବ୍ୟକ୍ତି ଓମିକ୍ରନ୍‌ କରୋନାଭାଇରସ୍‌ ପଜିଟିଭ୍‌ ହୋଇଥିବା କଥା ଶୁକ୍ରବାର ଦିନ ଜଣାପଡ଼ିଛି।

Advertisment

ଭୂତାଣୁଦ୍ବାରା ଆକ୍ରାନ୍ତ ହୋଇଥିବା ଦୁଇଜଣ ରୋଗୀ (ଜଣେ ପୁରୁଷ ଓ ଜଣେ ମହିଳା) ନଭେମ୍ବର ୨୯ ତାରିଖ ଦିନ ମହାରାଷ୍ଟ୍ରରୁ ଫେରିଥିଲେ। ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇ ନ ଥିଲା, କିନ୍ତୁ ସେମାନଙ୍କୁ ‘ହୋମ୍‌ ଆଇସୋଲେସନ୍‌’ରେ ରଖାଯାଇଥିଲା।

ଉଭୟଙ୍କ ବୟସ ୬୦ ବର୍ଷ ମଧ୍ୟରେ ହେବ। ଶୁକ୍ରବାର ସନ୍ଧ୍ୟାରେ ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’ ରିପୋର୍ଟ ମିଳିବା ପରେ ଦୁହେଁ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିଲା। ରାଜ୍ୟରେ ‘ଓମିକ୍ରନ୍‌’ ଚିହ୍ନଟ ହେବା ପରେ ଉତ୍ତର ପ୍ରଦେଶ ସରକାର ସଜାଗ ହୋଇ ଉଠିଛନ୍ତି।

publive-image Image Courtesy of India.com

ତେଣେ, ଅନାବଶ୍ୟକ ଭ୍ରମଣ ଏବଂ ଜନସମାଗମରୁ ନିବୃତ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇ ଆସୁଥିଲେ ବି ଗତକାଲି ସମଗ୍ର ଦେଶରେ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟିପିଯାଇଛି।

ଶୁକ୍ରବାର ଦିନ ଦିଲ୍ଲୀରେ ମିଳିତ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଲେ, ଗତ ୨୦ ଦିନ ହେବ କୋଭିଡ୍‌-୧୯ ସଂକ୍ରମଣ ମାମଲା ୧୦ ହଜାର ତଳକୁ ରହିଥିଲେ ବି ଅନ୍ୟ ଦେଶଗୁଡ଼ିକରେ ସଂକ୍ରମଣ ବୃଦ୍ଧି କରାଉଥିବା ନୂଆ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ ପ୍ରତି ହୁସିଆର ରହିବାକୁ ପଡ଼ିବ।

ଭାରତ ‘ଓମିକ୍ରନ୍‌’ ଗୋଷ୍ଠୀ ସଂକ୍ରମଣ ସ୍ତରକୁ ଆସିଛି କି, ନାହିଁ ପଚରାଯିବାରୁ ସେ କହିଲେ, ‘ଓମିକ୍ରନ୍‌’ ଭାରତରେ ବ୍ୟାପକ ଭାବେ ବସ୍ତାର ଲାଭ କରିଛି ବୋଲି ଏବେଠୁ କହି ହେବନାହିଁ।