ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରିବାର ପ୍ରସ୍ତାବ ପାଇ ବି ମାୟାବତୀ କିଛି ଉତ୍ତର ଦେଲେନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ୟୁପି ନିର୍ବାଚନରେ ​​ଶୋଚନୀୟ ଭାବେ ପରାଜୟ ପରେ ରାହୁଲ ଗାନ୍ଧୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁଜନ ସମାଜ ପାର୍ଟି(ବିଏସପି) ସହ ମେଣ୍ଟ କରିବାକୁ ଚାହୁଁଥିଲା। ଏମିତିକି କଂଗ୍ରେସ ୟୁପିରେ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ମଧ୍ୟ ଅଫର ଦେଇଥିଲା। କିନ୍ତୁ ଅଫର ପାଇବା ପରେ ବି ମାୟାବତୀ ଉତ୍ତର ଦେଲେ ନାହିଁ। ନିର୍ବାଚନର ପ୍ରାୟ ମାସେ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏଭଳି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ମାୟାବତୀ ଏଥର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା ବି କରିନାହାଁନ୍ତି। ତାଙ୍କୁ ଆମ ପକ୍ଷରୁ ଏକ ମେଣ୍ଟ କରିବାର ଅଫର ଦିଆଯାଇଥିଲା। ଆମେ ଏହା ମଧ୍ୟ କହିଥିଲୁ ଯେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। କିନ୍ତୁ ସେ ଆମର ଅଫର ପାଇବା ପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସେ ଆହୁରି କହିଛନ୍ତି ଯେ, କାଶୀ ରାମଙ୍କ ପ୍ରତି ଆମର ବହୁତ ସମ୍ମାନ ଅଛି। ସେ ଦଳିତଙ୍କୁ ସଶକ୍ତ କରିଥିଲେ। କଂଗ୍ରେସ ଦୁର୍ବଳ ହୋଇଛି, କିନ୍ତୁ ଏହା ପ୍ରସଙ୍ଗ ନୁହେଁ। ଦଳିତଙ୍କୁ ସଶକ୍ତ କରାଯିବା ଆବଶ୍ୟକ। ହେଲେ ମାୟାବତୀ ଏଥର ଲଢ଼ିବାକୁ ଚାହିଁଲେ ନାହିଁ। ରାସ୍ତା ସମ୍ପୂର୍ଣ୍ଣ ଫାଙ୍କା ଥାଇ ବି ସିବିଆଇ, ଇଡି, ପେଗାସସ୍ କାରଣରୁ ସେ ନିର୍ବାଚନ ଲଢ଼ିବାକୁ ଚାହିଁନଥିଲେ।

ରାହୁଲଙ୍କ ଏଭଳି ଖୁଲାସା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଯଦି ନିର୍ବାଚନ ପୂର୍ବରୁ ବିଏସପି କଂଗ୍ରେସ ସହ ମେଣ୍ଟ କରିଥାନ୍ତା, ତେବେ ଆଜି ସ୍ଥିତି କିଛି ଅଲଗା ଥାନ୍ତି କି? ଉଭୟ ଦଳ ମିଶି ଭଲ ପ୍ରଦର୍ଶନ କରିଥାନ୍ତେ କି?

ସମ୍ବନ୍ଧିତ ଖବର