ବିଜେପିର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆରଏଲଡି ନେତା ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ : ବିଜେପି ହାତ ମିଳାଇବା ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ । ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି କୃଷକ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ୭୦୦ କୃଷକଙ୍କ ମୃତ୍ୟୁ ପାଇଁ ବିଜେପି ଦାୟୀ । ଏଣୁ ବିଜେପି ତାଙ୍କ ନିକଟକୁ କୌଣସି ନିମନ୍ତ୍ରଣ ପତ୍ର ନ ପଠାଉ । ବିଜେପି ଯଦି ନିମନ୍ତ୍ରଣ ପତ୍ର ପଠାଇବାକୁ ଚାହୁଁଛି ତେବେ ଉକ୍ତ ୭୦୦ ମୃତ କୃଷକଙ୍କ ପରିବାର ନିକଟକୁ ପଠାଉ ବୋଲି ସେ ଟୁଇଟ୍ କରି ପ୍ରକାଶ କରିଛନ୍ତି ।

ଆଜି ବିଜେପି ସାଂସଦ ପରଭେସ ବର୍ମା କହିଥିଲେ ଯେ ଜୟନ୍ତଙ୍କ ପାଇଁ ବିଜେପି ଦ୍ବାର ସବୁବେଳେ ଖୋଲା ରହିଛି । ଆମେ ତାଙ୍କୁ ସ୍ବାଗତ କରିବାକୁ ଚାହୁଁଛୁ, କିନ୍ତୁ ସେ ଏକ ଭୁଲ ବାଟରେ ଯାଉଛନ୍ତି ।

ଉତ୍ତରପ୍ରଦେଶ ନିର୍ବାଚନରେ ଜାଠ ଭୋଟ ବିଜେପି ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଚୌଧୁରୀ ଅଜିତ ସିଂଙ୍କ ପ୍ରତିଷ୍ଠିତ ରାଷ୍ଟ୍ରୀୟ ଲୋକ ଦଳ ଜାଠମାନଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ଦଳ ହୋଇଥିବାରୁ ବିଜେପି ଏହି ଦଳକୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରୁଛି ।

ଅନ୍ୟପକ୍ଷରେ ଜାଠ ସମାଜକୁ ଆକୃଷ୍ଟ କରିବାକୁ ଗୃହ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଉତ୍ତରପ୍ରଦେଶର କେତେକ ଜାଠ ନେତାମାନଙ୍କୁ ଭେଟିଛନ୍ତି । ଏହି ବୈଠକରେ ପରଭେସ ବର୍ମା ମଧ୍ୟ ଉପସ୍ଥିତ ଥିଲେ । କୃଷକ ଆନ୍ଦୋଳନ ସମୟରେ ଜାଠ ସଂପ୍ରଦାୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ ତାହାକୁ ଦୂର କରିବାକୁ ଅମିତ ଶାହା ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧିତ ଖବର