ଲକ୍ଷ୍ନୌ: ଯୋଗୀଙ୍କ ପାଇଁ ଥରହର ଅପରାଧୀ। କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ପୁଣି ଥରେ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ଶପଥଗ୍ରହଣ ପରେ ଅପରାଧରୁ ଅର୍ଜନ ହୋଇଥିବା ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ିବା ଭୟରେ ଅପରାଧୀ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। ଏହା ସହ ଏନକାଉଣ୍ଟର ଭୟରେ କିଛି ଫେରାର ଥିବା ଅପରାଧୀ ଆତ୍ମସମର୍ପଣ କରୁଥିବା ଦେଖାଯାଇଛି। ଏବେ ମେନପୁରୀରେ କିଛି ମାସ ଧରି ଫେରାର ଥିବା ଦୁଇଜଣ ଅପରାଧୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଉଭୟ ଅପରାଧୀ ଆତ୍ମସମର୍ପଣ କରିବାକୁ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ଏନକାଉଣ୍ଟର ଭୟରେ ସେମାନେ ଆତ୍ମସମର୍ପଣ କରୁଥିବା କହିଛନ୍ତି।

Advertisment

ମେନପୁରୀରେ ଆତ୍ମସମର୍ପଣ କରିଥିବା ଏହି ଦୁଇ ଅପରାଧୀଙ୍କ ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ ଦୁହେଁ ନିଜ ହାତରେ ୨ଟି ବ୍ୟାନର ଧରିଥିବା ବେଳେ ଆତ୍ମସମର୍ପଣର କାରଣ ଲେଖିଛନ୍ତି। ବ୍ୟାନରରେ ଲେଖାଯାଇଛି ଯେ, ପୁଲିସ ଆମର ଏନକାଉଣ୍ଟର କରିଦେବ, ଆମକୁ ବଞ୍ଚାଅ। ଆମେ ଚୋର, ଆମକୁ ଜେଲକୁ ପଠାଅ।

ସୂଚନା ଅନୁଯାୟୀ, ଦୁହେଁ ମେନପୁରୀର କିଶନି ଅଞ୍ଚଳରେ ଚୋରି କରିଥିଲେ। ଚୋରି କରିବା ପରେ ଦୁହେଁ ଫେରାର ହୋଇଯାଇଥିବାରୁ ପୁଲିସ ସିସିଟିଭିକୁ ଆଧାର କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ହେଲେ ଏବେ ଦୁହେଁ ନିଜେ ଆସି ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

publive-image aajtak

ଉତ୍ତରପ୍ରଦେଶରେ ଯୋଗୀ ସରକାର ୨.୦ ଆରମ୍ଭ ହେବାପରଠାରୁ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଶାସନର ଏଭଳି ଭୟ ଦେଖିବାକୁ ମିଳୁଛି। ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅଭିଯୁକ୍ତଙ୍କ ମଧ୍ୟରେ ବୁଲଡୋଜର ଭୟ ମଧ୍ୟ ଦେଖିବାକୁ ମିଳୁଛି। ସୂଚନାନୁସାରେ, ମାର୍ଚ୍ଚ ୨୮ରେ ଜଣାପଡ଼ିଥିଲା ଯେ ସରକାର ଗଠନ ହେବାର ୧୪ଦିନ ମଧ୍ୟରେ ବୁଲଡୋଜର ଭୟ ଯୋଗୁଁ ୫୦ରୁ ଅଧିକ ଅପରାଧୀ ଆତ୍ମସମର୍ପଣ କରିଛନ୍ତି। କିଛି ଅପରାଧୀ ଫେରାର ଥିବା ବେଳେ ବୁଲଡୋଜର ସେମାନଙ୍କ ଘର ଆଗରେ ପହଞ୍ଚିବାରୁ ସେମାନେ ଆତ୍ମସମର୍ପଣ କରିଥିବା ଖବର ସାମ୍ନାକୁ ଆସିଥିଲା।

‌ଉଲ୍ଲେଖଯୋଗ୍ୟ, ଯେତେବେଳେ ଅପରାଧ କରି ଅଭିଯୁକ୍ତ ଫେରାର ହୋଇଯାଏ ଏବଂ ଆତ୍ମସମର୍ପଣ କରେ ନାହିଁ, ସେତେବେଳେ ଅପରାଧରୁ ଅର୍ଜନ ହୋଇଥିବା ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ାଯାଏ। ଏହି ଭୟରେ ଏବେ ଅପରାଧୀ ଆତ୍ମସମର୍ପଣ କରୁଥିବା କହିଛି ୟୁପି ପୁଲିସ।