ଲକ୍ଷ୍ନୌ: ବିବାହ ଦିନ ଭୋଜି ଖାଉଥିବା ପିଉସୀଙ୍କ ଉପରେ ଯୌତୁକରେ ମିଳିଥିବା କାର ଚଢ଼ାଇ ଦେଲେ ବର। ଉତ୍ତରପ୍ରଦେଶର ଇଟାୱାଠାରେ ଏହି ଘଟଣା ଘଟିଛି। ଇଟାୱା ଜିଲ୍ଲାରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ବର ପୁଲିସ୍ ପିଏସିରେ ଜଣେ କନଷ୍ଟେବଳ ଭାବେ କାମ କରୁଥିବାରୁ ତାଙ୍କୁ କନ୍ୟାପକ୍ଷ ଯୌତୁକରେ ଏକ କାର୍ ଦେଇଥିଲେ। ହେଲେ ଏହି କାର୍ ବରର ପିଉସୀଙ୍କ ଜୀବନ ନେଇଯିବ ବୋଲି କାହାକୁ ଜଣାନଥିଲା।
ସୂଚନା ମୁତାବକ, ବିବାହ ଦିନ ଉପହାରରେ ବରକୁ ଟାଟା ପଞ୍ଚ୍ କାର ମିଳିଥିଲା। ଏହାକୁ ଦେଖିବା ପାଇଁ ବର ପକ୍ଷଙ୍କ ମନରେ ଉତ୍ସାହ ଅଧିକ ଥିଲା। ତେବେ କାର ଆସିବା ପରେ ଏହାର ପୂଜାର୍ଚ୍ଚନା କରାଯିବା ସହ ବରକୁ ପ୍ରଥମେ ଗାଡ଼ି ଚଳାଇବାକୁ କୁହାଯାଇଥିଲା। ବର ଗାଡ଼ିରେ ବସି ଗାଡ଼ି ଷ୍ଟାଟ କରିବା ପରେ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଏହା ଫଳରେ ସାମ୍ନାରେ ଖାଉଥିବା ଲୋକଙ୍କ ଉପରେ କାରଟି ଚଢ଼ିଯିବା ସହ ଆଗରେ ଥିବା ମନ୍ଦିରରେ ଯାଇ କାରଟି ଧକ୍କା ଖାଇଥିଲା। ଗାଡ଼ି ଚଢ଼ିଥିବା ଲୋକଙ୍କ ମଧ୍ୟରେ ବରର ପିଉସୀ ମଧ୍ୟ ଥିଲେ। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଆହତ ହୋଇଥିବା ଲୋକଙ୍କର ଚିକିତ୍ସା ଚାଲିଥିବା କୁହାଯାଇଛି। ତେବେ ଏହି ଘଟଣା ପରେ ବିବାହ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ।