ଚାଷୀ ଆନ୍ଦୋଳନ ସମର୍ଥନରେ ଅଭିନବ ପ୍ରତିବାଦ: ଟ୍ରାକ୍ଟର ଚଢ଼ାଇ ନିଜ ଫସଲ ନଷ୍ଟ କଲେ ଚାଷୀ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ଚାଷୀ ଅଭିନବ ଉପାୟ ଆପଣାଇଛନ୍ତି । କୃଷି ଆଇନକୁ ବିରୋଧ କରି କୃଷକ ଜଣଙ୍କ ନିଜ ଜମିରେ ଥିବା ଫସଲକୁ ନଷ୍ଟ କରିଦେଇଛନ୍ତି । ବିଜନୋରର ଚାନ୍ଦପୁର ଅଞ୍ଚଳରେ ରହୁଥିବା ଜଣେ ଚାଷୀ ନିଜର ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ତାକୁ ନଷ୍ଟ କରିଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନିଜ ଫସଲ ଉପରେ ଟ୍ରାକ୍ଟର ଚଢ଼ାଉଥିବା ଚାଷୀଜଣକ ହେଉଛନ୍ତି କୁଲଚନା ଗ୍ରାମର ସୋହିତ। ସେ ଶନିବାର ଏଭଳି କରିଥିବା ବେଳେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିି ଏଭଳି କରିଥିବା କହିଛନ୍ତି। ଏନେଇ ସ୍ଥାନୀୟ ଜିଲ୍ଲା ଅଧ୍ୟକ୍ଷ ଦିଗମ୍ବର ସିଂ କହିଛନ୍ତି କି କୃଷି ଆଇନକୁ ବିରୋଧ କରି ବିଜନୋରରେ ଏବେ ଫସଲ ନଷ୍ଟ କରିବା ଅଭିଯାନ ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଦୁଇ ଦିନ ତଳେ କିଷାନ ମହାପଞ୍ଚାୟତ ସମୟରେ ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କୃଷକମାନଙ୍କୁ ଚାଷୀ ଆନ୍ଦୋଳନକୁ ଗୁରୁତ୍ୱ ଦେବାକୁ କହିଥିଲେ ଏବଂ ଯଦି ଆବଶ୍ୟକ ହୁଏ ତେବେ ସେମାନଙ୍କ ଫସଲ ନଷ୍ଟ କରିବାକୁ କହିଥିଲେ। ଟିକାୟତଙ୍କ ଏଭଳି କଥା ଶୁଣି ସୋହିତ ନିଜ ଫସଲ ନଷ୍ଟ କରିବା ପରେ ମୋର କହିବାର ଅର୍ଥ ଏଭଳି କରିବା ନଥିଲା ବୋଲି କହିଛନ୍ତି ରାକେଶ ଟିକାୟତ। ଏହା ସହ ‌ସୋହିତଙ୍କ ଏଭଳି କାମକୁ ଦେଖି ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି।

ତାଙ୍କ କହିବା ମୁତାବକ, ସରକାର ଆମକୁ ଏପରି ପରିସ୍ଥିତିରେ ପକାଇ ଦେଇଛନ୍ତି, ଯେଉଁଠି କୃଷକମାନେ ଫସଲ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ‌ସୋହିତଙ୍କ ଭିଡିଓ ଦେଖି ମୁଁ ଖୁବ୍ ଦୁଃଖିତ। ମୁଁ କେବଳ କୃଷକମାନଙ୍କୁ ଗୋଟିଏ ଋତୁର ଫସଲ ତ୍ୟାଗ କରିବା ନେଇ ପ୍ରସ୍ତୁତ ହେବାକୁ କହିଥିଲି, କିନ୍ତୁ ଏଭଳି ଫସଲ ନଷ୍ଟ କରିବାକୁ କହିନଥିଲି।

ସମ୍ବନ୍ଧିତ ଖବର