ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଏବେ ଉତ୍ତରପ୍ରଦେଶର ଅମରେହାରେ କୃଷକମାନେ ଏକ ନୂଆ ଆନ୍ଦୋଳନ କରିଥିବା ଜଣାପଡିଛି । ଏହି ଅନ୍ଦୋଳନରେ କୃଷକମାନେ କ୍ଷୀର ନ ବିକିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସେଠାରେ ଦୁଗ୍ଧ ସଂକଟ ଦେଖାଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ସୂଚନା ମୁତାବକ, ଅମରେହା ଜିଲ୍ଲା ରସୁଲପୁର ଗ୍ରାମର କୃଷକମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧକୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନି କିମ୍ବା ଖୋଲା ବଜାରରେ ବିକ୍ରି ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ନିକଟସ୍ଥ ସହର ଓ ବଜାରକୁ ବାହାର ଜିଲ୍ଲାରୁ ଦୁଗ୍ଧ ନେଇ ଆସୁଥିବା ଗାଡ଼ିଗୁଡିକୁ ଅଟକାଇ ସେମାନଙ୍କ ଉପରେ ଜରିମାନା ଲଗାଯାଉଛି । ଏହା ସହ ଡ୍ରାଇଭରକୁ ଅଟକ ରଖିବା ସହ ଗାଡି ଚକାକୁ ଲିକ୍ କରିଦେବାର ଧମକ ଦିଆଯାଉଛି । କେବଳ ଅମରେହା ନୁହେଁ ଶାହାଜାଦପୁର ଗାଁରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି । ସେଠାରେ ଦୁଗ୍ଧ ଚାଷୀମାନେ ଖୋଲା ବଜାରରେ ଦୁଗ୍ଧ ବିକ୍ରି ବନ୍ଦ କରିଦେବା ସହ ଅନ୍ୟ ଜିଲ୍ଲାର ଚାଷୀମାନଙ୍କୁ ଏଭଳି କରିବାକୁ ପରାମର୍ଶ ଦେଉଛନ୍ତି । ଫଳରେ ସ୍ଥାନୀୟ ବଜାରମାନଙ୍କରେ ଦୁଗ୍ଧର ଅଭାବ ଅନୁଭୂତ ହୋଇଛି ।