ଆନ୍ଧ୍ର, ତାମିଲନାଡ଼ୁରୁ କେହି ମନ୍ତ୍ରୀ ନାହାନ୍ତି, ଉତ୍ତରପ୍ରଦେଶରୁ ସର୍ବାଧିକ

ନୂଆଦିଲ୍ଲୀ : ଲୋକସଭାର ସର୍ବାଧିକ ୮୦ ଆସନ ଉତ୍ତରପ୍ରଦେଶରେ ରହିଛି। ସପ୍ତଦଶ ଲୋକସଭାକୁ ଉତ୍ତରପ୍ରଦେଶର ୮୦ ଆସନରୁ ଏନ୍‌ଡିଏର ୬୪ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ସର୍ବାଧିକ ୯ ଜଣ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଏହାପଛକୁ ମହାରାଷ୍ଟ୍ରରୁ ୭ ଜଣ ଏବଂ ବିହାରରୁ ୬ ଜଣ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। କିନ୍ତୁ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରୁ କୌଣସି ଜଣେ ହେଲେ ସାଂସଦଙ୍କୁ ମନ୍ତ୍ରୀପଦ ମିଳିନାହିଁ। ୨୯ ରାଜ୍ୟରୁ ୨୧ଟି ରାଜ୍ୟରେ ଗୋଟିଏ କିମ୍ବା ଗୋଟିଏରୁ ଅଧିକ ମନ୍ତ୍ରୀ ଅଛନ୍ତି। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ବାଦ୍‌ ସିକ୍କିମ, ମଣିପୁର, ମିଜୋରାମ, ନାଗାଲାଣ୍ଡ୍‌, ତ୍ରିପୁରା ଏବଂ ମେଘାଳୟରୁ ମଧ୍ୟ କେହି ମନ୍ତ୍ରୀ ‌ହୋଇନାହାନ୍ତି। କେରଳରେ ବିଜେପି ଗୋଟିଏ ଆସନ ଜିତିନଥିଲେ ମଧ୍ୟ ଏହି ରାଜ୍ୟରୁ ଜଣେ ମନ୍ତ୍ରୀ ହୋଇଛନ୍ତି। ବିଜେପି ନେତା ଭି ମୂରଲିଧରନ୍‌ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। କର୍ଣ୍ଣାଟକରୁ ୪ ଜଣ ମନ୍ତ୍ରୀ ହୋଇଥିବା‌ବେଳେ ଗୁଜରାଟ, ହରିୟାଣା ଏବଂ ରାଜସ୍ଥାନରୁ ୩ ଜଣ ଲେଖାଏଁ ଏବଂ ପଞ୍ଜାବରୁ ୨ ଜଣ ମନ୍ତ୍ରୀ ହୋଇଛନ୍ତି। ଝାଡ଼ଖଣ୍ଡରୁ ଜଣେ ମନ୍ତ୍ରୀ ହୋଇଛନ୍ତି। ତେବେ ଉତ୍ତରପ୍ରଦେଶର ୯ ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ବିହାରରୁ ୩ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି।

ସମ୍ବନ୍ଧିତ ଖବର