ଭୋପାଳ: ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶନିବାର କହିଛନ୍ତି ରାଜ୍ୟ ସରକାର ଆଗାମୀ ଜାନୁଆରି ୧୫ରୁ ଆରମ୍ଭ ହେବାକୁ ଯାଉଥିବା ‘ପ୍ରୟାଗ କୁମ୍ଭମେଳା’ ଜୋରଦାର ପ୍ରସ୍ତୁତି କରୁଛନ୍ତି। କୁମ୍ଭମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ବୀମା ଉପରେ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେଶବ କହିଛନ୍ତି, କୁମ୍ଭମେଳାରେ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆମେ ବୀମା ଯୋଜାନ ଉପରେ ଚିନ୍ତା କରୁଛୁ। ସେ ୨୦୧୩ରେ କୁମ୍ଭମେଳା ସମୟରେ ହୋଇଥିବା ଅଘଟଣ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରୟାଗରାଜରେ ମୁଁ ଅନେକ ଥର କୁମ୍ଭମେଳା ଦେଖିଛି। ମାତ୍ର ଏଥର ଯେଭଳି ଭାବରେ ଆୟୋଜନ କରାଯାଉଛି, ଆଗରୁ କେବେ ହୋଇ ନଥିଲା। ଶ୍ରଦ୍ଧାଳୁଙ୍କୁ କୁମ୍ଭମେଳାରେ କୌଣସି ଅସୁବିଧା ହେବ ନାହିଁ। ଏହି ଭରସା ରଖି ଆପଣ ନିଜ ସପରିବାର ସହିତ କୁମ୍ଭମେଳା ବୁଲିବାକୁ ଆସନ୍ତୁ ବୋଲି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ କହିଛନ୍ତି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୌର୍ଯ୍ୟ କହିଛନ୍ତି, କୁମ୍ଭମେଳାରେ କୌଣସି ବି ଭକ୍ତ ନିଜର ସଂପର୍କୀୟଙ୍କ ଠାରୁ ଅଲଗା ଯେମିତି ନ ହୁଅନ୍ତି, ସେଭଳି ବ୍ୟବସ୍ଥା କରାଯାଇଛି। ବର୍ଷ ୨୦୧୩ରେ ଆହ୍ଲାବାଦ କୁମ୍ଭମେଳାରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। କିଛି ଲୋକ ଆହତ ହୋଇଥିଲେ। ମୌର୍ଯ୍ୟ କହିଛନ୍ତି, ମୁଁ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଭୋପାଳସ୍ଥିତ ବଲ୍ଲଭ ଭବନ (ସଚିବାଳୟ)ରେ ଭେଟିଛି। କୁମ୍ଭମେଳାକୁ ଆସିବା ପାଇଁ କମଲନାଥଙ୍କ ସହିତ ମଧ୍ୟପ୍ରଦେଶର ୭.୫ କୋଟି ଜନତାଙ୍କୁ ନିମନ୍ତ୍ରଣ ଦେଇଛି।