ୟୁପିରେ ‘ଦଙ୍ଗାକାରୀ’ଙ୍କ ସମ୍ପତ୍ତି ଜବତ ଆରମ୍ଭ

ଗୁଳିମାଡ଼ରେ ମୃତକଙ୍କ ସଂଖ୍ୟା ୧୮ ଛୁଇଁଲା, ଆହତ ପୁଲିସ କର୍ମୀଙ୍କ ସଂଖ୍ୟା ୫୬

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ ଆଳରେ ଉତ୍ତରପ୍ରଦେଶରେ ଉପଦ୍ରବକାରୀମାନେ ସରକାରୀ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଯୋଜନାବଦ୍ଧ ଭାବେ ସରକାରୀ ସମ୍ପତ୍ତି ଜାଳି ଦିଆଯାଇଥିବାରୁ ୟୁପି ସରକାର ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତକାଲି ଦଙ୍ଗାକାରୀମାନଙ୍କୁ ଜୋରିମାନା ବାବଦ ନୋଟିସ୍‌ ପଠାଯାଇଥିବା ବେଳେ ଆଜି ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ କରି ଜିଲ୍ଲା ପ୍ରଶାସନ ବ୍ୟାପକ ପୁଲିସ ସୁରକ୍ଷା ବଳୟରେ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି।

ଉତ୍ତର ପ୍ରଦେଶରେ ସିଏଏକୁ ବିରୋଧ କରି ହୋଇଥିବା ହିଂସାରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗୁଳିମାଡ଼ରେ ମଧ୍ୟ ୫୬ ପୁଲିସ କର୍ମୀ ଆହତ ହୋଇଛନ୍ତି। ୟୁପି ପୁଲିସ କହିଛି ଯେ ଉପଦ୍ରବକାରୀମାନେ ହିଁ ଗୁଳି ମାଡ଼ କରିଥିଲେ ଏବଂ ଏଥିରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ୨୨ଟି ଜିଲ୍ଲାରେ ଉପଦ୍ରବକାରୀମାନେ ବଡ଼ ଅନର୍ଥ ଘଟାଇଛନ୍ତି। ସେମାନେ ପୁଲିସ ବାହିନୀ ଏବଂ ସରକାରୀ ସମ୍ପତ୍ତିକୁ ଟାର୍ଗେଟ୍‌ କରି ହିଂସା ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି। ୨୦୧୮ରେ ସୁପ୍ରିମ୍‌ କୋର୍ଟ ଦେଇଥିବା ଆଦେଶ ଅନୁସାରେ ପ୍ରଶାସନ ଦଙ୍ଗାକାରୀଙ୍କ ସମ୍ପତ୍ତି ଜବତ କରୁଛି। ମୁଜାଫରନଗରରେ ଦଙ୍ଗାକାରୀଙ୍କ ୬୭ ଦେକାନ ସିଲ୍‌ କରାଯାଇଛି । କେତେକ ସ୍ଥାନରେ ଉପଦ୍ରବକାରୀଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିବା ଜଣାପଡ଼ିଛି। ସବୁ ଅଂଚଳରେ ଦଙ୍ଗାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୫୦୦ ଦଙ୍ଗାକାରୀ ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଗଠିତ ଟିମ୍‌ ସମ୍ପତ୍ତି ଜବତ ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି। ଗୋରଖପୁରରେ ୫୦ ଜଣ ଦଙ୍ଗକାରୀଙ୍କ ସଂପର୍କରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ହେଉଥିବାରୁ କଠୋର ପଦକ୍ଷେପ ପାଇଁ ପ୍ରଶାସନ ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର