ମୁହଁରୁ ମାସ୍କ ହଟିବା ପରେ ବଢ଼ିଲା ସଂକ୍ରମଣ, ନିୟମ ବଦଳାଇ ଫେସ୍ ମାସ୍କକୁ ବାଧ୍ୟତାମୂଳକ କଲେ ୟୁପି ସରକାର

ଲ‌କ୍ଷ୍ନୌ: ବଢ଼ୁଛି କରୋନା ସଂକ୍ରମଣ। ଗତ କିଛି ମାସ ଧରି ସଂକ୍ରମଣ କମ ରହିଥିବା ବେଳେ ଏବେ କିଛି କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଇଛି। ଏହାକୁ ନଜରରେ ରଖି ଉତ୍ତରପ୍ରଦେଶ ସରକାର ରାଜଧାନୀ ଲ‌କ୍ଷ୍ନୌ ଏବଂ ଏନସିଆରର ୬ଟି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।  ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ଅଧୀନରେ ଥିବା ଜିଲ୍ଲାମାନଙ୍କ ଉପରେ କୋଭିଡ ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମିିରଟ, ବୁଲନ୍ଦଶାହର, ବାଗପତ ଏବଂ ରାଜଧାନୀ ଲ‌କ୍ଷ୍ନୌର ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଦେଖିବାକୁ ଗଲେ ଗତ ୨୪ଘଣ୍ଟା ମଧ୍ୟରେ ଗୌତମ ବୁଦ୍ଧ ନଗରରେ ୬୫ଜଣ, ଗାଜିଆବାଦରେ ୨୦ଜଣ ଏବଂ ଲ‌କ୍ଷ୍ନୌରେ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତ ମାସ ଆରମ୍ଭରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ହେଲେ ସଂକ୍ରମଣ ବଢ଼ୁଥିବାରୁ ବର୍ତ୍ତମାନ ଅନେକ ଜିଲ୍ଲାରେ ଫେସ୍ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀ ସରକାର ମଧ୍ୟ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ଏହା ପରଠାରୁ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି।

ରବିବାର ଦିନ ଦିଲ୍ଲୀରେ ୫୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଥିବା ବେଳେ ରବିବାର ଦିନ ଆସିଥିବା ନୂତନ ମାମଲାକୁ ମିଶାଇ ଜାତୀୟ ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୧୮,୬୮,୫୫୦ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର