ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଦେବା ଘଟଣା: ସାମ୍ବାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାର ଯାଞ୍ଚ କରିବେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଛବିକୁ ନଷ୍ଟ କରିବା ପାଇଁ ଜଣେ ସାମ୍ବାଦିକ ଓ ଗାଁର ମୁଖିଆ କରିଥିବା କାମକୁ ନେଇ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସାମ୍ବାଦିକଙ୍କୁ ପୁଲିସ ଗିରଫ କରିଥିବା ବେଳେ ବିରୋଧ ପ୍ରଦର୍ଶନକୁ ଦେଖି ରାଜ୍ୟ ସରକାର ଖୋଦ୍‌ ଏହି ଏତଲାର ଯାଞ୍ଚ କରିବେ ବୋଲି କହିଛନ୍ତି । ଏହା ସହ ଦୋଷୀକୁ କଡ଼ା ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାରଙ୍କ ପ୍ରବକ୍ତା ଶ୍ରୀକାନ୍ତ ଶର୍ମା କହିଛନ୍ତି ।

ସୂଚନା ମୁତାବକ, ଅଗଷ୍ଟ ୨୨ରେ ସାମ୍ବାଦିକ ପବନ ଜୟଶଓ୍ଵାଲଙ୍କୁ ଗାଁର ମୁଖିଆ ରାଜକୁମାର ଡ଼ାକି ଏକ ଭିଡିଓ ଉତ୍ତୋଳନ କରିବାକୁ କହିଥିଲେ । ଯେଉଁ ଭିଡିଓ ପରେ ଭାଇରାଲ ହୋଇଥିଲା । ଭିଡିଓରେ ସ୍କୁଲ ପିଲାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆ ନ ଯାଇ କେବେଳ ରୁଟି ଓ ଲୁଣ ଖାଇବାକୁ ଦିଆଯାଉଥିବା ଦେଖାଯାଇଥିଲା । ଭିଡିଓକୁ ନେଇ ବିବାଦ ହେବାରୁ ଜିଲ୍ଲା ଅଧିକାରୀ ଏ ନେଇ ତଦନ୍ତ କରିଥିଲେ । ତଦନ୍ତ ପରେ ସ୍କୁଲର ପ୍ରଧାନଶିକ୍ଷକ ଓ ରାଜକୁମାରଙ୍କ ପାଖରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଟଙ୍କା ଥାଇ ମଧ୍ୟ ରାଜ୍ୟ ସରକାରଙ୍କ ଛବିକୁ ଖରାପ କରିବା ପାଇଁ ଦୁହେଁ ଏଭଳି କରିଥିବା ଜଣା ପଡ଼ିଥିଲା । ଏ ନେଇ ସାମ୍ବାଦିକ ପବନ ଜୟଶଓ୍ଵାଲଙ୍କୁ ପୁଲିସ ସୋମବାର ଗିରଫ କରିଥିବା ବେଳେ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ କରାଯାଇଥିଲା । ତେବେ ମଙ୍ଗଳବାର ଏହି ମାମଲାକୁ ନେଇ ବିନ୍ଧ୍ୟାଞ୍ଚଳ ଡିଭିଜିନାଲ କମିସନର ଆନନ୍ଦ କୁମାର ସିଂହଙ୍କୁ ଭେଟି ଜୟଶଓ୍ଵାଲଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ ୨୫ଜଣ ସାମ୍ବାଦିକ ।

newindianexpress.com

ଏଭଳି ଦାବି ପରେ ସେ କହିଥିଲେ, ଆମେ ଚାହୁଁଛୁ ପୂରା ଘଟଣାର ସଠିକ୍‌ ଯାଞ୍ଚ ହେଉ । ଜିଲ୍ଲା ଅଧିକାରୀଙ୍କୁ ଏ ନେଇ ରିପୋର୍ଟ ମାଗିବା ସହ ରିପୋର୍ଟ ଆସିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଏକ ଖବରକାଗଜରେ କାମ କରୁଥିବା ସାମ୍ବାଦିକ ଯଦି ସତ ସାମ୍ନାକୁ ଆଣିବାକୁ ଚାହୁଁଥିଲେ, ତେବେ ସେ ଫଟୋ ନ ଉଠାଇ ଭିଡିଓ କ’ଣ ପାଇଁ ଉତ୍ତୋଳନ କରିଥିଲେ? ତାଙ୍କର ଏଭଳି କାମ ତାଙ୍କୁ ସନ୍ଦେହ ଘେରକୁ ଆଣିଛି ।

ଅନ୍ୟ ପକ୍ଷରେ, ରାଜକୁମାରଙ୍କୁ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ଦିଆଯାଇଥିଲା । ରୁଟି ସହ ତରକାରୀ କ’ଣ ପାଇଁ ହୋଇନାହିଁ, ସେ ବିଷୟରେ ନ ବୁଝି ସେ ଜୟଶଓ୍ଵାଲଙ୍କୁ ଡ଼ାକି ଭିଡିଓ କାହିଁକି ଉତ୍ତୋଳନ କରିଥିଲେ? ଏଭଳି ଭିଡିଓ ତିଆରି କରିବା ପଛରେ ପ୍ରକୃତ କାରଣ ଜଣା ନ ପଡ଼ିବା ପର୍ଯ୍ୟନ୍ତ ଜୟଶଓ୍ଵାଲଙ୍କୁ ଛଡ଼ା ଯିବ ନାହିଁ ବୋଲି କହିଛନ୍ତି ବିନ୍ଧ୍ୟାଞ୍ଚଳ ଡିଭିଜିନାଲ କମିସନର ଆନନ୍ଦ କୁମାର ସିଂହ ।

ସମ୍ବନ୍ଧିତ ଖବର