ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ଆଗତ ଅଧ୍ୟାଦେଶକୁ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କ ଅନୁମୋଦନ

ଲକ୍ଷ୍ନୌ: ବାଧ୍ୟ ବାଧ୍ୟକତା ବା ବେଆଇନ ଧର୍ମାନ୍ତରୀକରଣ ବିରୋଧରେ ଆଗତ ଅଧ୍ୟାଦେଶକୁ ଶନିବାର ଦିନ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ ସମ୍ମତି ଦେଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ‘ଉତ୍ତର ପ୍ରଦେଶ ପ୍ରୋହିବିସନ୍ ଅଫ୍ ଅନ୍‌ଲଫୁଲ୍‌ କନ୍‌ଭର୍ସନ ଅଫ୍‌ ରିଲିଜିଅନ୍‌ ଅର୍ଡିନାନ୍ସ୍‌, ୨୦୨୦’ ଜାରି କରାଯାଇଛି ବୋଲି ଅଧିକାରୀଜଣକ କହିଛନ୍ତି।

ବିବାହ ଲାଗି ବାଧ୍ୟ ବାଧ୍ୟକତା ବା ଅନୈତିକ ଧର୍ମାନ୍ତରୀକରଣ ରୋକିବା ନିମନ୍ତେ ଏ ସପ୍ତାହ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ଏହି ଅଧ୍ୟାଦେଶର ‘ଡ୍ରାଫ୍ଟ୍‌’ ଅନୁମୋଦନ କରିଥିଲା। ଏହି ଆଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷ ଏଥର ୧୦ ବର୍ଷଯାଏଁ ଜେଲ୍‌ଦଣ୍ଡ ଭୋଗିବେ।

Image Courtesy of Zee News

ଏହି ଅଧ୍ୟାଦେଶ ଅନୁସାରେ, କେବଳ ବିବାହ ଉଦ୍ଦେଶ୍ୟ‌େରେ ଯଦି ଜଣେ ମହିଳାଙ୍କୁ ଧର୍ମାନ୍ତରୀକରଣ କରାଯାଇଥିବ ତେବେ, ଉକ୍ତ ବିବାହକୁ ଅସିଦ୍ଧ ଘୋଷଣା କରାଯିବ। ବିବାହ ପରେ ଧର୍ମ ପରିବର୍ତ୍ତନ କରିବା ନିମନ୍ତେ ଚାହୁଁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ।

ବିବାହ ଆଳରେ ହିନ୍ଦୁ ନାରୀମାନଙ୍କୁ ଇସ୍‌ଲାମ୍‌ ଦୀକ୍ଷିତ କରାଯାଉଛି ବୋଲି ହେଉଥିବା ଅଭିଯୋଗର ମୁକାବିଲା ନିମନ୍ତେ ଗତ ଅଳ୍ପ ସପ୍ତାହ ହେବ ଉତ୍ତର ପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟମାନେ ବିଭିନ୍ନ ଉପାୟ କରୁଛନ୍ତି। ବିଜେପି ନେତା ଏ ପ୍ରକାର ଧର୍ମାନ୍ତରୀକରଣକୁ ‘ଲଭ୍ ଜିହାଦ୍‌’ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର