ଅଯୋଧ୍ୟା ମାମଲା: ରାୟ ପ୍ରକାଶ ପୂର୍ବରୁ ସତର୍କତାମୂଳକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ: ବିବାଦୀୟ ଏବଂ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ଆଜି ଅପରାହ୍ଣ ୫ଟା ସୁଦ୍ଧା ଶେଷ ହେବ ବୋଲି ଏହି ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଚୂଡ଼ାନ୍ତ ତଥା ନିଷ୍ପତ୍ତି ଶୁଣାଣି ଦେବା ପରେ ଏହି ମାମଲାର ରାୟ କେବେ ପ୍ରକାଶ ପାଇବ ତାକୁ ନେଇ ତମାମ୍‌ ଦେଶରେ ଉତ୍କଣ୍ଠା ପ୍ରକାଶ ପାଇଛି। କିନ୍ତୁ, ଏହି ମାମଲାର ରାୟ କେବେ ପ୍ରକାଶ ପାଇବ ସେ ସଂପର୍କରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କୌଣସି ପ୍ରକାରର ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ତେବେ, ଏହି ମାମଲା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ସ୍ପର୍ଶକାତର ମାମଲା ଥିବା ଦୃଷ୍ଟିରୁ ଉଭୟ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ରାଜ୍ୟ ସରକାର ଏବେ ଠାରୁ ସତର୍କତା ମୂଳକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଦେଲେଣି। ପୂର୍ବରୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସମଗ୍ର ଅଯୋଧ୍ୟାରେ ୧୪୪ ଧାରା ଜାରି କରିଥିବା ବେଳେ ଆଜି ଠାରୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟିକୁ ବାତିଲ କରି ଦେଇଛନ୍ତି ଉତ୍ତରପ୍ରଦେଶ ରାଜ୍ୟ ସରକାର।

କ୍ରମାଗତ ଭାବେ ବିଗତ ୪୦ ଦିନ ଧରି ଦୈନନ୍ଦିନ ଭିତ୍ତିରେ ଏହି ମମାଲାର ଶୁଣାଣି କରିବା ପରେ ଆଜି ଏହି ମାମଲାର ଶୁଣାଣିକୁ ଶେଷ କରିବେ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ରଂଜନ ଗୋଗେଇ। ତେବେ, ଏହି ମାମଲାର ଶୁଣାଣି ଆସନ୍ତାକାଲି (ଅକ୍ଟୋବା ୧୭ରେ) ଶେଷ ହେବାର ଥିଲା। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗେଇ ଆସନ୍ତା ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଥିବାରୁ ଏହା ପୂର୍ବରୁ ଯେ କୌଣସି ମୂହୁର୍ତ୍ତରେ ଏହି ମାମଲର ରାୟ ପ୍ରକାଶ ପାଇପାରେ।

ସମ୍ବନ୍ଧିତ ଖବର