ଅଯୋଧ୍ୟା ରାୟ ପୂର୍ବରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବା ସହ ହେଲିକପ୍ଟର ମୁତୟନ କଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଶୁଣାଣି ପରବର୍ତ୍ତୀ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସହ ମୁକାବିଲା କରିବାକୁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।

ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବା ପୂର୍ବରୁ ଏହି ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ରାୟ ପ୍ରକାଶ ଦିନ କାଳେ ଆବଶ୍ୟକ ପଡ଼ିବ, ସେଥିପାଇଁ ମନ୍ଦିର ନଗରୀ ଅଯୋଧ୍ୟା ଏବଂ ରାଜଧାନୀ ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ସରକାର ହେଲିକପ୍ଟର୍‌ ରଖିବାର ଯୋଜନା କରିଛନ୍ତି।

Image Source: OneIndia

ଗୁରୁବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ବରିଷ୍ଠ କର୍ମଚାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ କରି ନିର୍ଦେଶ ଦେଇଛନ୍ତି କି, ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କୁ ଦମନ କର। ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ୨୪X୭ ମାଷ୍ଟର୍‌ କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପରିସ୍ଥିତି ଉପରେ ନିଘା ରଖିବାକୁ ପ୍ରତି ଜିଲ୍ଲାରେ ଆହୁରି ଗୁଡ଼ାଏ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ଖୋଲାଯିବ।

ଏହି ମାମଲାରେ ସବୁ ଧର୍ମବିଶ୍ୱାସର ନେତାମାନଙ୍କ ସହ ସମ୍ପର୍କରେ ରହିବାକୁ ଏସ୍‌ଏସ୍‌ପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କୁହାଯାଇଛି। ଆଦିତ୍ୟନାଥ କହିଛନ୍ତି: ପାଦଚଲା ପାଟ୍ରୋଲିଙ୍ଗ୍‌ ବୃଦ୍ଧି କରି ଶାନ୍ତି କମିଟି ବୈଠକ ଆୟୋଜନ କର। ‘ଡାଏଲ୍‌ ୧୧୨’ ବିଷୟରେ ସଚେତନତା ପ୍ରଚାର କର ଏବଂ ରାଜ୍ୟରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।

ଶୃଙ୍ଖଳା ରକ୍ଷା ନିମନ୍ତେ ଅଯୋଧ୍ୟାରେ ସମୁଦାୟ ୧୫୪ କମ୍ପାନି ନିରାପତ୍ତା ବଳ ମୁତୟନ କରାଯିବ। ସେଥିରେ ସାମିଲ ହେବେ ସେଣ୍ଟ୍ରାଲ୍‌ ପୋଲିସ୍‌ ଫୋର୍ସ, ପ୍ରୋଭିନ୍‌ସିଆଲ୍‌ ଆର୍ମଡ୍‌ କନ୍‌ଷ୍ଟାବୁଲାରି, ରେପିଡ୍‌ ଆକ୍‌ସନ୍‌ ଫୋର୍ସ ଏବଂ ଉତ୍ତର ପ୍ରଦେଶ ପୁଲିସ। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଆସି ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧିତ ଖବର