ଲକଡାଉନରେ ନିୟମ ଭାଙ୍ଗିଥିବା ଅଢେଇ ଲକ୍ଷ ଲୋକଙ୍କ ଉପରୁ ଉଠାଯିବ କେସ, ସାମାନ୍ୟ ଭୁଲ କରିଥିଲେ ସରକାର ଉଠାଇବେ ପୁଲିସ ମାମଲା

ଲଖନଉ: କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନର ଘୋଷଣା କରାଯାଇଥିଲା | ଆଉ ଏହି ସମୟରେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଫାଇନ ଦେବାକୁ ପଡୁଥିଲା | କେତେକ କ୍ଷେତ୍ରରେ ଅମାନିଆଙ୍କ ନାମରେ ପୁଲିସ କେସ ମଧ୍ୟ ରୁଜୁ କରିଥିଲା | ଆଉ ଏବେ ଉତ୍ତରପ୍ରଦେଶର ଯୋଗୀ ସରକାର ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ କେସ ଉଠାଇନେବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ଦ୍ୱାରା ପ୍ରାୟ ଅଢେଇଲକ୍ଷ ଲୋକଙ୍କୁ ଲାଭ ମିଳିବ |

ମିଳିଥିବା ସୂଚନା ମୁତାବକ ମାସ୍କ ନ ପିନ୍ଧିବା ହେଉ କିମ୍ବା ଲକଡାଉନ ଓ ସଟଡାଉନ ସମୟରେ ବିନା ଅନୁମତି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା | କେତେକ କ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରୁନଥିବାବେଳେ ପୁଲିସ ଚଢ଼ାଉ କରି ଗିରଫ କରିବା ସହ ମାମଲା ରୁଜୁ କରିଥିଲା |

ଆଉ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ଏହି ସବୁ ବ୍ୟକ୍ତିଙ୍କ ଉପରୁ କେସ ଉଠାଇନେବାକୁ ପ୍ରକ୍ରିୟା ଆରମ୍ଭ କରିଛି | ସରକାରଙ୍କ କହିବା କଥା ଯେ ସାମାନ୍ୟ ଭୁଲ ପାଇଁ ଲାଗୁ ହୋଇଥିବା ମାମଲାକୁ ଉଠାଇଲେ ନ୍ୟାୟାଳୟ, ପୁଲିସ ସହ ଲୋକଙ୍କୁ ଆଶ୍ବସ୍ତି ମିଳିବ | ସେହିପରି ନ୍ୟାୟାଳୟ ଓ ପୁଲିସ ଉପରେ ପଡୁଥିବା ବୋଝରୁ ମୁକ୍ତି ମିଳିବ | ତେବେ ଯୋଗୀଙ୍କ ଏହି ନିର୍ଦ୍ଦେଶନାମା ପରେ ଉତ୍ତରପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି ଯିଏ କି ଉଲ୍ଲଙ୍ଘନକାରୀଙ୍କ ଉପରୁ ମାମଲା ଉଠାଇବାକୁ ନିଷ୍ପତ୍ତି ନେଇଛି |

ସମ୍ବନ୍ଧିତ ଖବର