ୟୁପି ସରକାରଙ୍କ ଅଜବ ଆଇନ: ୪୦ ବର୍ଷ ଧରି ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ଜନତା

ଲକ୍ଷ୍ନୌ: ଭାରତର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶର ଲୋକସଭା ଆସନ ସଂଖ୍ୟା ୮୦ ଥିବା‌ବେଳେ ବିଧାନସଭା ଆସନ ସଂଖ୍ୟା ୪୦୪। ତେବେ ୟୁପି ସରକାରଙ୍କର ଏକ ଅଜବ ଆଇନ ବଳରେ ୧୯୮୧ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ଜନତା ହିଁ ଭରୁଛନ୍ତି। ଉତ୍ତରପ୍ରଦେଶରେ ଭିପି ସିଂହ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଉତ୍ତରପ୍ରଦେଶ ମନ୍ତ୍ରୀମାନଙ୍କ ଦରମା, ଭତ୍ତ‌ା ଏବଂ ଅନ୍ୟ ସୁବିଧାସୁଯୋଗ ଆଇନ ୧୯୮୧ କାର୍ଯ୍ୟକାରୀ କରିଥିଲେ। ଏହି ବିଲ୍‌ ସଂକ୍ରାନ୍ତରେ ଯେତେବେଳେ ରାଜ୍ୟ ବିଧାନସଭାରେ ଆଲୋଚନା ହୋଇଥିଲା ସେତେବେଳେ ଭିପି ସିଂହ କହିଥିଲେ, ଉତ୍ତରପ୍ରଦେଶର ଅଧିକାଂଶ ମନ୍ତ୍ରୀ ଗରିବ ଏବଂ ସେମାନଙ୍କ ଦରମା କମ୍‌ ହୋଇଥିବାରୁ ସେମାନେ ନିଜ ରୋଜଗାରରୁ ଆୟକର ଦେଇପାରିବେ ନାହିଁ। ତେଣୁ ଏହି ଆଇନ ବଳରେ ରାଜ୍ୟ ରାଜକୋଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ଆୟକର ଭରିବ‌ା ନିଷ୍ପତ୍ତି ହୋଇଥିଲା। ଏହାପରେ ଆୟକର ଛାଡ଼ କରାଯାଇ ଉତ୍ତରପ୍ରଦେଶ ମନ୍ତ୍ରୀମାନଙ୍କର ଏହି ଦରମା ଧାର୍ଯ୍ୟ କରାଯାଇଥିଲା। ଆଇନ ପ୍ରଣୟନ ହେବାର ଦୀର୍ଘ ୪୦ ବର୍ଷ ବିତିଯାଇଛି। ଇତି ମଧ୍ୟରେ ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ଅଖ‌ିଳେଶ ଯାଦବ, ବସପାର ମାୟାବତୀ, ବିଜେପିର କଲ୍ୟାଣ ସିଂହ, ରାଜନାଥ ସିଂହ ଏବଂ କଂଗ୍ରେସର ନାରାୟଣ ଦତ୍ତ ତିୱାରୀଙ୍କ ସମେତ ଉତ୍ତରପ୍ରଦେଶ ୧୯ ମୁଖ୍ୟମନ୍ତ୍ରୀ ଏବଂ ପ୍ରାୟ ୧୦୦୦ ମନ୍ତ୍ରୀ ପାଇଛି। ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମଧ୍ୟ ଏହି ଆଇନ ଲାଗୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଅନେକ ମନ୍ତ୍ରୀ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ, ସେମାନଙ୍କ ଅସ୍ଥାବର ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ହେବ। ସେମାନେ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ ଏବେ ବି ସେମାନେ ଗରିବ ଶ୍ରେଣୀରେ ଅଛନ୍ତି ଏବଂ ରାଜ୍ୟ ରାଜକୋଷରୁ ସେମାନଙ୍କ ଆୟକର ପୈଠ କରାଯାଉଛି। ଗତ ଦୁଇଟି ଆର୍ଥିକ ବର୍ଷରେ ମଧ୍ୟ ‌ଯୋଗୀ ସରକାରଙ୍କ ପ୍ରତ୍ୟେକ ସଦସ୍ୟଙ୍କ ଆୟକର ରାଜ୍ୟ ରାଜକୋଷରୁ ଭରା ଯାଇଥିଲା। ଚଳିତ ଆର୍ଥିକ ବର୍ଷ‌ରେ ଆଦିତ୍ୟନାଥ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଆୟକର ଦେୟ ପ୍ରାୟ ୮୬ ଲକ୍ଷ ଥିଲା ଏବଂ ଏହା ରାଜ୍ୟ ରାଜକୋଷରୁ ହିଁ ଭରଣା କରାଯାଇଥିଲା।

ସମ୍ବନ୍ଧିତ ଖବର