ଟର୍ଚ୍ଚ ଆଲୋକରେ ହେଲା ୩୨ ରୋଗୀଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ଅବହେଳାର ଧାରା ଧୀରେ ଧୀରେ ବଢ଼ୁଛି ସିନା କମିବାର ନାଁ ନେଉନାହିଁ। ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ନଓ୍ଵାବଗଞ୍ଜର ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ (ସିଏଚ୍‌ସି) ୩୨ ଜଣ ଚକ୍ଷୁ ରୋଗୀଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ବିନା ବିଦ୍ୟୁତ ଆଲୋକରେ ଟର୍ଚ୍ଚ ଲାଇଟ୍‌ ସାହାଯ୍ୟରେ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ହଠାତ୍‌ ପାଓ୍ଵାର କଟ୍‌ ହୋଇଯିବା କାରଣରୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କୁ ଟର୍ଚ୍ଚ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା ବୋଲି କୁହାଯାଇଛି।

ଏ ସଂପର୍କରେ ରୋଗୀ ସଂପର୍କୀୟମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଉତ୍ତରପ୍ରଦେଶର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ ତେବେ ସଂପୃକ୍ତ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିରର ଆୟୋଜନ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଲାଇସେନ୍ସକୁ ମଧ୍ୟ ରଦ୍ଦ କରି ଦିଆଯିବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର