ନୂଆଦିଲ୍ଲୀ: ସାଧାରଣତଃ ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ମୃତଦେହକୁ ଶ୍ମଶାନକୁ ନେଇ ଜାଳି ଦିଆଯାଇଥାଏ। ଶ୍ମଶାନ ଘାଟକୁ କେବଳ ମୃତ ବ୍ୟକ୍ତିଙ୍କ ପରିବାର/ସମ୍ପର୍କୀୟ ଲୋକ ହିଁ ଶବଦାହ ପାଇଁ ଯାଇଥାଆନ୍ତି। ଏହି କାମ ଶେଷପରେ ସମସ୍ତେ ଘରକୁ ଫେରି ଆସିଥାଆନ୍ତି। କାରଣ ଶ୍ମଶାନ ଏମିତି ଏକ ନାମ ଓ ସ୍ଥାନ ଯାହାକୁ ଶୁଣିବା ମାତ୍ରେ ମନରେ ଏକପ୍ରକାର ଭୟ ଖେଳି ଯାଇଥାଏ।
କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବୃଦ୍ଧବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଯିଏକି ଶ୍ମଶାନରେ ଚିତା ଜଳୁଛି, ସ୍ଥାନ ଶୁନଶାନ ରହିଛି। କୌଣସି ଜଣେ ହେଲେ ବ୍ୟକ୍ତି ସେଠାରେ ଦେଖିବାକୁ ମିଳୁ ନାହାନ୍ତି ଏଭଳି ପରିସ୍ଥିତିରେ ସେଠାରେ ଶୋଇ ରହିଛନ୍ତି।
ଉତ୍ତରପ୍ରଦେଶର କାନପୁରର କୋହନା ଥାନା ଅଧୀନସ୍ଥ ଭୈରବ ଘାଟରେ ଶୋଇଥିବା ବୃଦ୍ଧ ଏହି ଘଟଣାକୁ ନେଇ କହନ୍ତି, ‘କାନପୁରରେ ୮ରୁ୯ ଡିଗ୍ରି ତାପମାତ୍ରା ରହିଥିବା ହେତୁ ପ୍ରବଳ ଥଣ୍ଡା। ମୋର ରହିବାକୁ ଘର ନାହିଁ। ରାସ୍ତାଘାଟ ଯେଉଁଠି ପାଏ ଶୋଇ ଯାଇଥାଏ। ଶ୍ମଶାନ ବାଟ ଦେଇ ଯାଉଥିବା ବେଳେ ଉଷୁମ ଲାଗିଲା। ପ୍ରବଳ ଥଣ୍ଡାରେ ଶରୀର କମ୍ପି ଉଠୁଥିବା ବେଳେ ଶ୍ମଶାନ ଭିତରେ ପଶିବା ପରେ ମୋତେ ଆରାମ ଲାଗିଲା। ତେଣୁ ମୁଁ ଜଳୁଥିବା ଚିତା ପାଖରେ ଶୋଇପଡ଼ିଲି।’
ଶ୍ମଶାନରେ ଶୋଇବା ସମୟରେ ଭୟ ଲାଗିଲା ନାହିଁ ବୋଲି ବୃଦ୍ଧଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ଭୟ କ’ଣ ଆଜ୍ଞା। ଏହା ତ ନିରାଟ ସତ୍ୟ ଘଟଣା.. ପ୍ରତ୍ୟେକ ମଣିଷର ଶେଷ ସମୟ ଏମିତି ହିଁ...ସତ ସାମ୍ନାରେ ଭୟ କ’ଣ।