ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଏବେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାନୁଯାୟୀ ଯୁବତୀ ଜଣଙ୍କ ନିଜ ଗ୍ରାମ ନିକଟସ୍ଥ ବଜାରରୁ ଗତକାଲି ସନ୍ଧ୍ୟାରେ ପରିବା କିଣି ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ୍ ଢାଳି ଜାଳି ଦେଇଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟି ସେ ଗତକାଲି ସନ୍ଧ୍ୟା ୭ଟା ସମୟରେ ନିଜ ବାଇସାଇକେଲ୍ ନେଇ ବଜାରକୁ ଯାଇଥିଲେ। ତେବେ ପାଖାପାଖି ୮ଟା ସମୟରେ ସେ ପରିବା କିଣି ଘରକୁ ଫେରୁଥିବାବେଳେ ବାରା ସାଗଓ୍ଵର ନିକଟରେ ତାଙ୍କୁ କିଛି ବ୍ୟକ୍ତି ଜିଅନ୍ତା ଜାଳିଦେଇଥିଲେ। ପୀଡ଼ିତା ଜଣଙ୍କ ଜିଅନ୍ତା ଜଳୁଥିବାର ଦେଖି ଜଣେ ବ୍ୟକ୍ତି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେବାପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କ ଶରୀରର ୧୦୦ ପ୍ରତିଶତ ଜଳିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୀଡ଼ିତାଙ୍କ ଜଳନ୍ତା ଶରୀର ନିକଟରୁ ଗୋଟିଏ ଅଧା ପେଟ୍ରୋଲ ଥିବା ଜାର, ଦିଆସିଲି ଖୋଳ, ତାଙ୍କ ସାଇକେଲ ଏବଂ ପରିବା ଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ଜଣାପଡ଼ୁନି ବୋଲି ଉନ୍ନାଓ ଏସ୍ପି ପୁଷ୍ପାଞ୍ଜଳୀ କହୁଥିବାବେଳେ ପୀଡ଼ିତାଙ୍କ ମା’ ଏବଂ ଭାଇ କହିଛନ୍ତି ଯେ ତାଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ଦେଇଛନ୍ତି। ତେବେ ଏଭଳି ଏକ ହତ୍ୟାକାଣ୍ଡ ଘଟାଇଥିବା ହତ୍ୟାକାରୀମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି ଲକ୍ଷ୍ନୌ ଏଡିଜି ରାଜୀବ କ୍ରୀଷ୍ଣା କହିଛନ୍ତି। ଜଣାଯାଇଛି ଯେ ଦୁର୍ଘଟଣା ଘଟିବା ସମୟରେ ପୀଡ଼ିତାଙ୍କ ମା’ ନିକଟସ୍ଥ ଷୋରିସ କ୍ଷେତରେ କାର୍ଯ୍ୟ କରୁଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp