ଜୌନପୁର: ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ। ସୁହେଲଦେବ ସ୍ୱାଭିମାନ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କୁ ତାଙ୍କ ପୂର୍ବତନ ଦଳର ନେତା ଚାପୁଡ଼ା ମାରିଥିବା ଜଣାଯାଇଛି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେଉଛି।
ଘଟଣାଟି ଗତ ସପ୍ତାହରେ ଘଟିଥିଲା, ହେଲେ ଏବେ ଭିଡିଓ ଭାଇରାଲ ହେଉଛି। ମହାରାଜା ସୁହେଲଦେବଙ୍କ ବିଜୟ ଦିବସ ପାଳନ ସମୟରେ ଆୟୋଜିତ ଏକ ଭୂମି ପୂଜନ କାର୍ଯ୍ୟକ୍ରମରେ ବ୍ରିଜେଶ ରାଜଭର ଅନେକ ଲୋକଙ୍କ ସମ୍ମୁଖରେ ମହେନ୍ଦ୍ର ରାଜଭରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ବ୍ରିଜେଶ ମଞ୍ଚ ଉପରକୁ ଯାଇ ପ୍ରଥମେ ମହେନ୍ଦ୍ରଙ୍କୁ ଏକ ମୋଟା ଗେଣ୍ଡୁମାଳ ପକାଇଥିଲେ। ଏହା ପରେ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଥିଲେ। ମଞ୍ଚରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ମହେନ୍ଦ୍ରଙ୍କୁ ଟାଣି ଧରିଥିଲେ। ଏହି ଘଟଣା ପରେ ମହେନ୍ଦ୍ର ରାଜଭର ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ ଦାଖଲ କରି ଦାବି କରିଛନ୍ତି ଯେ, ୟୁପି ମନ୍ତ୍ରୀ ଓମ ପ୍ରକାଶ ରାଜଭରଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା।
ତାଙ୍କ କହିବା ମୁତାବକ, "ଜଲାଲପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଁ ମୁଖ୍ୟ ଅତିଥି ଥିଲି। କାର୍ଯ୍ୟକ୍ରମ ଶେଷରେ ମୁଁ କହିବାକୁ ମୋର ବକ୍ତବ୍ୟ ରଖିବାକୁ ଯାଉଥିବା ବେଳେ ବ୍ରିଜେଶ ରାଜଭର ମୋ ବେକରେ ମାଳ ପିନ୍ଧାଇଥିଲେ ଏବଂ ତା'ପରେ ମୋତେ ଆକ୍ରମଣ କରିଥିଲେ।"
ଅନ୍ୟପକ୍ଷରେ ବ୍ରିଜେଶ ଅଭିଯୋଗ କରିଛନ୍ତି ଯେ, "ଆମେ ମହାରାଜା ସୁହେଲଦେବଙ୍କ ବିଜୟ ଦିବସ ପାଳନ କରୁଥିଲୁ। ଏହି ସମୟରେ ମହେନ୍ଦ୍ର ରାଜଭର ଆସି ପହଞ୍ଚିଲେ। ବିଭିନ୍ନ ବିଷୟରେ ଆମର ଆଲୋଚନା ହେଉଥିବା ବେଳେ ସେ ହଠାତ୍ ମୋତେ ଖରାପ ବ୍ୟବହାର କରିବା ଆରମ୍ଭ କଲେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/11/6bVqpFbfG5n6oAgBwnW0.jpg)