ୟୁପିରେ ମହାମେଣ୍ଟ ବିଫଳ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିକୁ ପୁଣି ସଫଳତା ମିଳିଛି। ଗତ ଥରର ସଫଳତାକୁ ଯଦିଓ ଏହି ଦଳ ଦୋହରାଇପାରି ନାହିଁ ତଥାପି ମୋଟ ୮୦ଟି ଆସନ ମଧ୍ୟରୁ ୬୩ଟି ଆସନ ଏନ୍‌ଡିଏକୁ ମିଳିଛି। ଏଠାରେ ବିଜେପିକୁ ପାଖାପାଖି ୫୦ ପ୍ରତିଶତ ଭୋଟ୍ ମିଳିଛି। ୨୦୧୪ରେ ବିଜେପିକୁ ୟୁପିରେ ୭୧ଟି ଆସନ ମିଳିଥିବା ବେଳେ ଏହାର ସହଯୋଗୀ ଅପନା ଦଳକୁ ୨ଟି ଆସନ ମିଳିଥିଲା। ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି- ବହୁଜନ ସମାଜ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳକୁ ନେଇ ଗଠନ ହୋଇଥିବା ମହାମେଣ୍ଟ ବିଫଳ ହୋଇଛି। ମହାମେଣ୍ଟକୁ ୧୫ ଆସନ ମିଳିଛି।
ବି‌‌ଶେଷକରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରାଙ୍କ ଦାୟିତ୍ବରେ ଥିବା ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଛି। ଆମେଥି ଆସନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ହରାଇ ଇତିହାସ ସୃଷ୍ଟି କରିଛନ୍ତି। ଏସପି ଏବଂ ବିଏସପି ମେଣ୍ଟ ରାଜ୍ୟରେ ଜାତିଆଣ ରାଜନୀତି କରୁଥିଲେ ବି ସେଥିରେ ସଫଳ ହୋଇନାହିଁ। ମୋଦୀଙ୍କ ପ୍ରଭାବ ଆଗରେ ଏହା ଫିକା ପଡ଼ିଯାଇଛି। ଏପରିକି ଦଳିତ ଏବଂ ଅଣ ଯାଦବ ଜାତିର ଭୋଟରମାନେ ବିଜେପିକୁ ସମର୍ଥନ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ହଟାଇ ଅନ୍ୟ କାହାକୁ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରୟାସକୁ ‌ ଭୋଟର ଗ୍ରହଣ କରିନାହାନ୍ତି। ସମାଜବାଦୀ ପାର୍ଟି ମୁଖ୍ୟଙ୍କ ପରିବାରର ନେତାମାନେ ସେମାନଙ୍କ ପାରମ୍ପରିକ ଆସନରୁ ବିଜୟୀ ହୋଇଛନ୍ତି। ସମାଜବାଦୀ ପାର୍ଟି ମୋଟ ୨୭ଟି ଆସନରୁ ପ୍ରତିଯୋଗିତା କରିଥିବାବେଳେ ଦଳ ୭ଟି ଆସନରେ ଆଗୁ୍ଆ ରହିଥିବା ଜଣାଯାଇଛି। ରାଷ୍ଟ୍ରୀୟ ଲୋକଦଳ ୩ଟି ଆସନରୁ ୩ଟି ଆସନରୁ ଲଢ଼ୁଥିବାବେଳେ ଗୋଟିଏ ଆସନରୁ ଏହି ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି। ୨୦୧୪ ନିର୍ବାଚନରେ ମାୟାବତୀଙ୍କ ବିଏସପି ଗୋଟିଏ ହେଲେ ଆସନରେ ଜିତି ନଥିବାବେଳେ ଚଳିତ ନିର୍ବାଚନରେ ୧୨ଟି ଆସନରେ ଜିତିବା ସମ୍ଭାବନା ରହିଛି। କିନ୍ତୁ ଏହି ସଂଖ୍ୟକ ଆସନ ‌ମାୟାବତୀଙ୍କୁ ଦିଲ୍ଲୀରେ‌ ପ୍ରଧାନମନ୍ତ୍ରୀ ଆସନରେ ବସିବାରେ ସହାୟକ ହୋଇପାରିବ ନାହିଁ। ଜଣେ ବିଜେପି ନେତାଙ୍କ କହିବାନୁଯାୟୀ ମହାମେଣ୍ଟ ଯଦି ରାଜ୍ୟରେ ୫୦ ଆସନରେ ଜିତିଥାନ୍ତା ଏବଂ କଂଗ୍ରେସକୁ ୨ଟି ଆସନରେ ସୀମିତ ରଖି ପାରିଥାନ୍ତା ତାହେଲେ ଏହା ସଫଳ ହୋଇଥାନ୍ତା।
ଉତ୍ତର ପ୍ରଦେଶର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୪,୭୯,୫୦୫ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଆସନରୁ ପାଖାପାଖି ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଗତ ଉପନିର୍ବାଚନରେ ବିଜେପି ହାତରୁ ଖସିଯାଇଥିବା ଗୋରଖପୁର ଏବଂ ଫୁଲପୁର ଆସନ ପୁନର୍ବାର ଦଳ ଦଖଲକୁ ଆସିଛି।

ସମ୍ବନ୍ଧିତ ଖବର