ବିବାହ ଉତ୍ସବରେ ନାଚିବା ବେଳେ ଟାଣିନେଲା ଯମ, ଟଳିପଡ଼ିଲେ ମନୋଜ

ଲକ୍ଷ୍ନୌ: ବିବାହ ଉତ୍ସବରେ ନାଚିବା ବେଳେ ଟାଣିନେଲା ଯମ। ନାଚୁ ନାଚୁ ଟଳିପଡ଼ିଲେ ୪୦ବର୍ଷୀୟ ବ୍ୟକ୍ତି। ନଭେମ୍ବର ୨୫ରେ ଏକ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଉତ୍ତରପ୍ରଦେଶର ବାରାଣସୀର ଜଣେ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ମନୋଜ ବିଶ୍ୱକର୍ମା ବୋଲି ଜଣାପଡ଼ିଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ପିଲପାନୀ କତ୍ରା ନିକଟରେ ହେଉଥିବା ଏକ ବିବାହ ଉତ୍ସବରେ ପରିବାର ସଦସ୍ୟଙ୍କ ସହ ନାଚୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

ସୂଚନା ମୁତାବକ, ମନୋଜ ବିଶ୍ୱକର୍ମା ନାଚିବା ସମୟରେ ହଠାତ ଅଚେତ ହୋଇପଡ଼ିଥିଲେ। ଏହା ଦେଖି ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ପରିବାର ଲୋକେ। ହେଲେ ମନୋଜଙ୍କ ଚେତା ନଫେରିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତରଖାନାରେ ମନୋଜଙ୍କୁ ଡାକ୍ତର ଚେକ୍ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ। ଗତ ମାସରେ ଦାହୋଡ ଜିଲ୍ଲାରେ ସମାନ ଘଟଣା ଘଟିଥିଲା। ଏକ କାର୍ଯ୍ୟକ୍ରମରେ ‘ରାସ’ କରୁଥିବା ସମୟରେ ଜଣେ ୫୧ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର