କାନପୁର: ‘ଆଇବ୍ରୋ ସେପ୍’ (ଭ୍ରୂଲତା କାଟି ସଜାଡ଼ିବା) ଥିବା କାରଣରୁ ଉତ୍ତର ପ୍ରଦେଶର କାନପୁରରେ ଥିବା ସ୍ତ୍ରୀକୁ ସାଉଦି ଆରବରେ ଚାକିରି କରୁଥିବା ଜଣେ ବ୍ୟକ୍ତି ଭିଡିଓ କଲ୍ ଜରିଆରେ ‘ତିନ୍ ତଲାକ୍’ ଦେଇଥିବା କଥା ‘ଦି ଟାଇମସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଘଟଣା ଅକ୍ଟୋବର ୪ ତାରିଖରେ ଘଟିଥିଲା। ଗୁଲ୍ସବା ନାମ୍ନୀ ସେ ମହିଳା କାନପୁର ଥାନାରେ ‘ଏଫ୍ଆଇଆର୍’ ପଞ୍ଜିକୃତ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।
କିନ୍ତୁ, ଏପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରି ଗତ ମଙ୍ଗଳବାର ଦିନ ଗୁଲ୍ସବା ପୁଣି ଆସି ଥାନାରେ ଅଭିଯୋଗ କରିବାରୁ ଘଟଣା ଲୋକଲୋଚନକୁ ଆସିଲା।
ପୁଲସି କହିଛି ପ୍ରାୟ ବର୍ଷେ ତଳେ ଗୁଲ୍ସବା ପ୍ରୟାଗରାଜ ଅନ୍ତର୍ଗତ ଫୁଲପୁରବାସୀ ମହମ୍ମଦ୍ ସଲିମ୍ଙ୍କୁ ବିବାହ କରିଥିଲେ। ବିବାହର ୩ ମାସ ପରେ ଏକ ଘରୋଇ କମ୍ପାନିରେ ଚାକିରି କରିବା ଲାଗି ସଲିମ୍ ସାଉଦି ଆରବ ଚାଲିଗଲେ। ଗୁଲ୍ସବା ଅଳ୍ପ କେତେ ଦିନ ଶାଶୂଘରେ ରହି ପୁଣି ବାପଘରକୁ ଚାଲିଗଲେ। କାରଣ, ସଲିମ୍ ବିଦେଶ ଯିବା ପରେ ଶାଶୂଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଲେ ବୋଲି ଗୁଲ୍ସବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଗୁଲ୍ସବା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସ୍ବାମୀ ସଲିମ୍ ରକ୍ଷଣଶୀଳ ମନୋଭାବର ହୋଇଥିବାରୁ ତାଙ୍କ ‘ଫେସନ୍ବାଜି’ ଉପରେ ଆପତ୍ତି କରୁଥିଲେ। ଅକ୍ଟୋବର ୪ ତାରିଖ ଦିନ ଗୁଲ୍ସବାଙ୍କ ସହିତ ଭିଡିଓ କଲ୍ ଜରିଆରେ ଆଳାପ କରୁଥିବା ବେଳେ ସଲିମ୍ ତାଙ୍କର ‘ସେପ୍ଡ୍ ଆଇବ୍ରୋ’ ଦେଖି ପଚାରିଲେ ଯେ, ତାଙ୍କ ବିନା ଅନୁମତିରେ ସେ କାହିଁକି ‘ଆଇବ୍ରୋ ସେପ୍’ କରାଇଲେ। ଏଇ କଥାରେ ଉତ୍କ୍ଷିପ୍ତ ହୋଇ ସେ ‘ତିନ୍ ତଲାକ୍’ କହିବା ସହିତ କହିଲେ କି, ଏବେ ତୋ’ର ଯାହା ଇଚ୍ଛା ତାହା କର, କିଛି ବାଧା ନାହିଁ।
ଥାନାରେ ଗୁଲ୍ସବା ସ୍ବାମୀ, ଶାଶୂ ଓ ଆଉ ୪ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ସଲିମ୍ଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ସହକାରୀ ପୁଲିସ କମିସନର୍ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।