ଚିନ୍ତାରେ ୟୁପି ବିଜେପି: ଇସ୍ତଫା ଦେଲେ ମନ୍ତ୍ରୀ ଧରମ ସିଂ ସଇନି, ପ୍ରତିଦିନ ବିଜେପିକୁ ଝଟକା ମିଳିବ ବୋଲି କହିଲେ ମୁକେଶ ବର୍ମା

ଲକ୍ଷ୍ନୌ: ଚିନ୍ତାରେ ବିଜେପି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ସହିତ ଓବିସିର ସମସ୍ତ ନେତା ଯେପରି ଭାବେ ବିଜେପି ହାତ ଛାଡ଼ିବାରେ ଲାଗିଛନ୍ତି ତାହା ଦଳର ନେତୃତ୍ୱଙ୍କ ଚିନ୍ତା ବଢ଼ାଇଛି। ଉତ୍ତରପ୍ରଦେଶରେ ବିଜେପିର ଦିନକୁ ଦିନ ବଢ଼ୁଥିବା ଚିନ୍ତାକୁ ଆହୁରି ବଢ଼ାଇଦେଇଛି ନେତା-ମନ୍ତ୍ରୀଙ୍କ ଇସ୍ତଫା। ଆଜି ୩ଜଣ ବିଧାୟକଙ୍କ ସହ ଜଣେ ମନ୍ତ୍ରୀ ବିଜେପିରୁ ଇସ୍ତଫା ଦେଇଛନ୍ତି।

ଉତ୍ତରପ୍ରଦେଶ ମନ୍ତ୍ରୀ ଧରମ ସିଂ ସଇନି ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ଧରମ ସିଂ ସାଇନି ଆୟୁଷ, ଖାଦ୍ୟ ସୁରକ୍ଷା ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ମନ୍ତ୍ରୀ ଥିଲେ ଏବଂ ଏହି ସପ୍ତାହ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ଏସପି ମୌର୍ଯ୍ୟଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ପୂର୍ବରୁ ୭ଜଣ ୟୁପି ବିଧାୟକ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏବେ ମନ୍ତ୍ରୀଙ୍କ ଇସ୍ତଫା ବିଜେପିର ଚିନ୍ତା ବଢ଼ାଇଛି। ଆଜି ଧରମ ସିଂହଙ୍କ ସମେତ ଔରାୟାରୁ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିଖୋହାବାଦ ବିଧାୟକ ମୁକେଶ ବର୍ମା ଏବଂ ଲଖିମପୁର ଖେରୀ ବିଧାୟକ ବାଲା ପ୍ରସାଦ ଅବସ୍ତି ଇସ୍ତଫା ଦେଇଛନ୍ତି। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏପର୍ଯ୍ୟନ୍ତ ୧୦ଜଣ ବିଜେପି ନେତା ଓ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି।

ଅନ୍ୟପକ୍ଷରେ ଇସ୍ତଫା‌ ଦେବା ପରେ ବିଧାୟକ ମୁକେଶ ବର୍ମା କହିଛନ୍ତି ଯେ, ଆମ ସହିତ ୧୦୦ଜଣ ବିଧାୟକ ଅଛନ୍ତି। ଆଗକୁ ବିଜେପିକୁ ପ୍ରତିଦିନ ଝଟକା ମିଳିବ। ବିଜେପିରେ ଦଳିତ ତଥା ପଛୁଆ ବର୍ଗଙ୍କୁ ସମ୍ମାନ ନାହିଁ। ପଛୁଆ ବର୍ଗଙ୍କୁ ଟାର୍ଗେଟ କରି ଚାକିରି ଦିଆଯାଉ ନାହିଁ ବୋଲି ସେ ଦାବି କରିଛନ୍ତି। ଏହା ପୂର୍ବରୁ ଇସ୍ତଫାର କାରଣ ଦର୍ଶାଇ ସେ ଟ୍ବିଟ କରିଥିଲେ ଯେ, ବିଜେପି ସରକାର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ତଥା ଜନ ପ୍ରତିନିଧୀଙ୍କ ପ୍ରତି କୌଣସି ଧ୍ୟାନ ଦେଇନଥିଲେ ଏବଂ ସେଥିପାଇଁ ସମ୍ପ୍ରଦାୟଗୁଡିକ ଅବହେଳିତ ହୋଇଥିଲେ। ତେଣୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି।

ସମ୍ବନ୍ଧିତ ଖବର