ଯୋଗୀ ସରକାର ପାଇଁ ଚିନ୍ତା ବଢୁଛି, ଇସ୍ତଫା ଦେଲେ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ

ଲକ୍ଷ୍ନୌ :  ବୋଧହୁଏ ଏନସିପି ନେତା ଶରଦ ପାଓ୍ବାରଙ୍କ ବୟାନ ସତ ହେବାକୁ ଯାଉଛି । ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ପଦ ଛାଡ଼ିଛନ୍ତି । ସେ ହେଉଛନ୍ତି ଦାରା ସିଂ ଚୌହାନ । ସେ ଯୋଗୀ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ ।

ସେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ସେ କହିଛନ୍ତି ଯେ ବିଜେପିରେ ପଛୁଆବର୍ଗ, ଦଳିତ, କୃଷକ, ବେରୋଜଗାର, ସଂଖ୍ୟାଲଘୁଙ୍କୁ ଅଣଦେଖା କରୁଛନ୍ତି ।  ଏହା ସହିତ ସରକାର ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ଟଳଟୁଳ ନୀତି ଗ୍ରହଣ କରୁଛନ୍ତି । ଏଥିରେ ଦୁଃଖିତ ହୋଇ ସେ ଇସ୍ତଫା ଦେଉଛନ୍ତି ।

ଜଣକ ପରେ ଜଣେ ମନ୍ତ୍ରୀ ଦଳଛାଡୁଥିବାରୁ ବିଜେପି ପାଇଁ ବିପଦ ବଢିଚାଲିଛି । ନିଜ ଇସ୍ତଫାର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦାରା ସିଂ ଚୌହାନଙ୍କୁ ନିବେଦନ କରିଛନ୍ତି ।

ଗତକାଲି ବିଜେପିର ୪ ବରିଷ୍ଠ ବିଧାୟକ ଦଳଛାଡ଼ି ସମାଜବାଦୀପାର୍ଟିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଶାହାଜାହନପୁର ବିଧାୟକ ରୋଶନ ଲାଲ ବର୍ମା, ବନ୍ଦା ବିଧାୟକ ବ୍ରିଜେଶ ପ୍ରଜାପତି, କାନପୁର ବିଧାୟକ ଭଗବତୀ ସାଗର । ଏହା ପୂର୍ବରୁ ବିଧାୟକ ମାଧୁରୀ ବର୍ମା, ରାଧାକୃଷ୍ଣ ଶର୍ମା ଓ ଦିଗବିଜୟ ନାରାୟଣ ଚୌବେ ମଧ୍ୟ ଦଳଛାଡ଼ି ସପାରେ ମିଶିଥିଲେ ।

ସମ୍ବନ୍ଧିତ ଖବର