ଲକ୍ଷ୍ମୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ଦିବୁଲଗଞ୍ଜ ୟୁନାଇଟେଡ ହସ୍ପିଟାଲର ଜଣେ ଡାକ୍ତରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଙ୍ଗଲରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ହସ୍ପିଟାଲର ସିଏମଏସ ଡାକ୍ତର ରବି ପ୍ରତାପ ସିଂହ ତାଙ୍କୁ ସ୍ୱାଗତ କରିବାକୁ ଆସି ନଥିଲେ। ଏଥିରେ ମନ୍ତ୍ରୀ ରାଗିଯାଇଥିଲେ।
ଏହି ଘଟଣାପରେ ରାଜ୍ୟମନ୍ତ୍ରୀ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଓବରାରୁ ସିଏମଏସଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ସହିତ କହିଥିଲେ, ‘ଡାକ୍ତର ଯଦି ମୋ ସହିତ ଏମିତି ବ୍ୟବହାର କରିପାରିଲେ ରୋଗୀଙ୍କ ସହିତ କେମିତି ବ୍ୟବହାର କରୁଥିବେ। ତେଣୁ ଏଭଳି ଡାକ୍ତରଙ୍କୁ ଜଙ୍ଗଲରେ ଛାଡ଼ି ଦେଇ ଆସିବା ଉଚିତ ହେବ।’
ଏହି ଘଟଣାରେ ରାଜ୍ୟମନ୍ତ୍ରୀଙ୍କୁ ଡାକ୍ତର ରବି ପ୍ରତାପ ସିଂହ କ୍ଷମା ମାଗି କହିଥିଲେ, ‘ ଦିବ୍ୟାଙ୍ଗ ଏବଂ ରୋଗୀମାନଙ୍କୁ ଦେଖିବାରେ ବ୍ୟସ୍ତ ଥିଲି। ତେଣୁ ଆପଣଙ୍କୁ ସମୟ ଦେଇ ପାରିଲି ନାହିଁ।’
ଏହି ଘଟଣାପରେ କଂଗ୍ରେସ ମୁଖପାତ୍ର ରାଜ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି,‘ ୟୁପି ସରକାରଙ୍କ ମନ୍ତ୍ରୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ସେମାନଙ୍କ ପ୍ରୋଟୋକଲ ବିଷୟରେ ଅଧିକ ଚିନ୍ତିତ। ଏପରି ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରାଯିବା ଉଚିତ। କାରଣ ଏ ମନ୍ତ୍ରୀ ତାଙ୍କ ପ୍ରୋଟୋକଲରେ ଅବହେଳା କରିଥିବା ଡାକ୍ତରଙ୍କୁ ଜଙ୍ଗଲରେ ଛାଡ଼ି ଦେବା ଭଳି ନିଷ୍ପତ୍ତି ନେଇଥିଲେ।’