ଲକ୍ଷ୍ନୌ: ମୁଜାଫର୍ନଗର ସ୍କୁଲ୍ ଶିକ୍ଷୟିତ୍ରୀଙ୍କ ଆଦେଶକ୍ରମେ ଶ୍ରେଣୀସାଥୀମାନଙ୍କଠାରୁ ଚଟକଣା ଖାଇଥିବା ମୁସଲମାନ ଛାତ୍ରଜଣଙ୍କୁ ରାତିରେ ନିଦ ହେଉନାହିଁ ବୋଲି ତା’ ପରିବାର ଲୋକେ କହିଛନ୍ତି।
ତାଙ୍କୁ ଭଲ ଲାଗୁନାହିଁ ଓ ନିଦ ହେଉନି ବୋଲି କହିବାରୁ ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଗତକାଲି ମିରଟ୍କୁ ନିଆଯାଇଥିଲା। ଏବେ ସେ ଘରକୁ ଫେରିଛି ଓ ସ୍ବାଭାବିକ ଆଚରଣ କରୁଛି ବୋଲି ତା’ର ବାପାମାଆ କହିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ୨ୟ ଶ୍ରେଣୀରେ ପଢୁଥିବା ସେ ଛାତ୍ର କହିଛନ୍ତି, ଭଲ ଲାଗୁନାହିଁ ଓ ରାତି ସାରା ଶୋଇ ପାରୁନାହିଁ କହିବାରୁ ଡାକ୍ତରଙ୍କୁ ଦେଖାଇବାକୁ ତାକୁ ମିରଟ୍ ଆଣିଥିଲୁ। ଡାକ୍ତର କହିଲେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଅଛି। ଗଣମାଧ୍ୟମ ପ୍ରତିନିଧି ଓ କେତେକ ଲୋକ ତାଙ୍କୁ ଉକ୍ତ ଘଟଣା ବିଷୟରେ ପଚାରିବାରୁ ସେ ଖୁବ୍ ବିବ୍ରତ ହୋଇପଡୁଥିଲେ।
ଚାପୁଡ଼ା ମାରିବାକୁ ଆଦେଶ ଦେଇଥିବା ଶିକ୍ଷୟିତ୍ରୀ ତୃପ୍ତା ତ୍ୟାଗୀଙ୍କ ସହିତ ଆପୋସ ବୁଝାମଣା ହେବ କି ବୋଲି ପଚରାଯିବାରୁ ତା’ର ବାପା କହିଲେ ତାଙ୍କ ସହିତ ଆପୋସ ବୁଝାମଣା କରାଯିବ ନାହିଁ।