୭ ମାସ ଆଗରୁ ଗୁରୁପରବ ଶୁଭେଚ୍ଛା ଟୁଇଟ୍‌ କଲେ ଉତ୍ତରପ୍ରଦେଶ ନେତା

ଲକ୍ଷ୍ନୌ: ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମୁଖପାତ୍ରଙ୍କ ସମେତ କେତେକ ମନ୍ତ୍ରୀ ରବିବାର ଦିନ ସେମାନଙ୍କର ଟୁଇଟର୍‌ ଆକାଉଣ୍ଟ୍‌ରେ ଶୁଭେଚ୍ଛା ବାର୍ତ୍ତା ପଠଇବାରୁ ଉତ୍ତର ପ୍ରଦେଶରେ ବିଜେପି ସରକାରଙ୍କ ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ଶୁଭେଚ୍ଛା ବାର୍ତ୍ତା ସାତ ମାସ ଆଗୁଆ ହୋଇ ଯାଇଥିବା କଥା ଅବଶ୍ୟ ପରେ ସେମାନେ ଜାଣିବାକୁ ପାଇଛନ୍ତି। ଏ ବର୍ଷ ନଭେମ୍ବର ୨୩ ତାରିଖରେ ପଡୁଛି ଗୁରୁ ନାନକଙ୍କ ଜୟନ୍ତୀ। ସାମାଜିକ ଗଣମାଧ୍ୟମରେ ସେମାନଙ୍କ ନିର୍ବୋଧତା ଧରା ପଡ଼ିବା ପରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ଆଶୁତୋଷ ଟଣ୍ଡନ ଏବଂ ଆଇନମନ୍ତ୍ରୀ ବ୍ରଜେଶ ପାଠକ ଆଦି କେତେକ ତୁରନ୍ତ ଏହାକୁ ସେମାନଙ୍କ ଟୁଇଟ୍‌ରୁ ଡିଲିଟ୍‌ କରି ପକାଇଥିଲେ।

ଟୁଇଟ୍‌ ପୋଷ୍ଟ୍‌ କରାଯିବାର ଦିନକ ପୂର୍ବରୁ ବୈଶାଖୀ ଉତ୍ସବ ପାଳନର ଅଂଶସ୍ୱରୂପ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌସ୍ଥିତ ଗୁରୁଦ୍ୱାର ନାକା ହିନ୍ଦୋଲା ଦର୍ଶନରେ ଯାଇଥିଲେ।

ପରେ ସିଦ୍ଧାର୍ଥ ନାଥ ସିଂହ ଟୁଇଟର୍‌ରେ ଏକ କ୍ଷମା ଯାଚନା ପୋଷ୍ଟ୍‍ କରିଥିଲେ। ସେ ଲେଖିଥିଲେ: ଓ୍ଵିକିପିଡିଆ ଯୋଗୁଁ ବିଭ୍ରାନ୍ତି ଘଟିଲା। ଭୁଲ୍‌ ତାରିଖ ଉଲ୍ଲେଖ କରିଥିବା ଓ୍ଵିକିପିଡ଼ିଆ ପୃଷ୍ଠାର ସ୍କ୍ରିନ୍‌ସଟ୍‌ ମଧ୍ୟ ସେ ସଂଯୁକ୍ତ କରିଥିଲେ।

ସେ ଟୁଇଟ୍‌ କରିଛନ୍ତି: ଗୁରୁ ନାନକଜୀଙ୍କ ଜନ୍ମଦିବସ ଟୁଇଟ୍‌ ପାଇଁ ଦୁଃଖୀତ। ଓ୍ଵିକିପିଡିଆ ଯୋଗୁଁ ବିଭ୍ରାନ୍ତି ହେଲା। ସମସ୍ତଙ୍କ ନିକଟରେ କ୍ଷମାପ୍ରାର୍ଥୀ।

ସମ୍ବନ୍ଧିତ ଖବର