ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ୯ଟି ମଣ୍ଡଳର ୩୭ଟି ଜିଲ୍ଲାରେ ଆଜି ସକାଳୁ ଅର୍ଥାତ ମଇ ୪ ତାରିଖ ଗୁରୁବାର ଦିନ ଭୋଟଦାନ ଆରମ୍ଭ ହୋଇଯାଇଛି। ଏହି ଭୋଟଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ସକାଳ ୯ଟା ପର୍ଯ୍ୟନ୍ତ ୧୦ ପ୍ରତିଶତ ଭୋଟଦାନ ହୋଇସାରିଥିବା ରିପୋର୍ଟ ମିଳିଛି। ଏହି କ୍ରମରେ ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଡିୟୁଟି କରୁଥିବା ସମୟରେ ମୈନପୁରୀ ଏସଡିଏମଙ୍କ ପରଲୋକ ହୋଇଥିବା ଖବର ମିଳିଛି।
ପୌର ନିର୍ବାଚନ ପାଇଁ ଗୁରୁବାର ସକାଳେ ଭୋଟଦାନ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଡିୟୁଟିରେ ଥିବା ମୈନପୁରୀ ଏସଡିଏମ ଓ ପିସିଏସ ଅଧିକାରୀ ବିରେନ୍ଦ୍ର କୁମାର ମିତ୍ତଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଭଳି ନିର୍ବାଚନ ସମୟରେ ହଠାତ ଏସଡିଏମଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମସ୍ତ ଅଧିକାରୀ ସ୍ତବ୍ଧ ହୋଇଯାଇଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ସାମାଜବାଦୀ ପାର୍ଟି ଶୋକ ବ୍ୟକ୍ତ କରିଛି।
ପ୍ରଥମ ପର୍ଯ୍ୟାୟରେ ସହାରନପୁର, ମୁରାଦାବାଦ, ଆଗ୍ରା, ଝାନସୀ, ପ୍ରୟାଗରାଜ, ଲକ୍ଷ୍ମୌ, ଦେବୀପାଟନ, ଗୋରଖପୁର ଏବଂ ବାରାଣାସୀ ମଣ୍ଡଳର ୩୭ ଟି ଜିଲ୍ଲାରେ ଭୋଟ୍ ଦିଆଯାଉଛି। ଏହି ଜିଲ୍ଲାରେ ୨.୪୦ କୋଟିରୁ ଅଧିକ ଭୋଟଦାତା ନିଜର ଭୋଟ୍ ଦେଇ ପାରିବେ।