ପୟାଗପୁର: କାମ ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଜଗି ବସିଥିଲା ଯମ | ତହସିଲଦାରଙ୍କ ଗାଡି ଧକ୍କାରେ ଚାଲିଗଲା ଜୀବନ | ଗାଡି ଧକ୍କା ଦେବା ପରେ ତାଙ୍କୁ ୩୦କିଲୋମିଟର ଟାଣି ନେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି | ଘଟଣାଟି ଘଟିଛି ଉତ୍ତରପ୍ରଦେଶର ପୟାଗପୁରରେ | ମୃତକଙ୍କ ନାମ ହେଲା ନରେନ୍ଦ୍ର କୁମାର ହଲଦର | 

Advertisment

ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ରାଜ୍ୟ ରାଜଧାନୀଠାରୁ ପ୍ରାୟ ୧୨୭ କିଲୋମିଟର ଦୂରରେ ଥିବା ବହରାଇଚରେ ଘଟିଥିଲା | ନନପରାର ନାଏବ ତହସିଲଦାର କିଛି କାମ ପାଇଁ ତହସିଲଦାରଙ୍କ କାରରେ ବହରାଇଚକୁ ଆସି ନନପରା ଫେରୁଥିଲେ। କାମ ସାରି ନରେନ୍ଦ୍ର ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା | ନାଏବ ତହସିଲଦାର ଶୈଳେଶ କୁମାର ଅୱସ୍ତିଙ୍କ କାର ପ୍ରଥମେ ନରେନ୍ଦ୍ରଙ୍କୁ ଧକ୍କା ଦେବା ପରେ ନରେନ୍ଦ୍ର କାର ଆଗରେ ଗୁଡ଼ାଇ ହୋଇ ଲାଖି ଯାଇଥିଲେ | ଏହା ପରେ କାର ତାଙ୍କୁ ୩୦କିଲୋମିଟର ଯାଏ ଟାଣି ନେଇଥିଲା, ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା | ଘଟଣା ଘଟିବା ସମୟରେ ଶୈଳେଶ କୁମାର ଅୱସ୍ତି କାରରେ ଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ମୋନିକା ରାନୀ ତାଙ୍କୁ ନିଲମ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି | ଏହା ସହ ଗାଡି ଚଳାଉଥିବା ଚାଳକଙ୍କୁ ଗିରଫ କରାଯାଇଛି |