ମୁଜାଫରନଗର ଜେଲ୍‌ରେ ନବରାତ୍ରୀ ଉପବାସ କରିଛନ୍ତି ୨୦୦ରୁ ଊର୍ଦ୍ଧ୍ବ ସଂଖ୍ୟାଲଘୁ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା କାରାଗାରରେ ୨୦୦ରୁ ଅଧିକ ସଂଖ୍ୟାଲଘୁ ଅନ୍ତେବାସୀ ଅନ୍ୟାନ୍ୟ ହିନ୍ଦୁ ଅନ୍ତେବାସୀଙ୍କ ସହିତ ମିଶି ୯ ଦିନ ଧରି ‘ନବରାତ୍ରୀ ଉପବାସ’ ପାଳନ କରୁଥିବା କଥା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଜଣେ ଜେଲ୍‌ ଅଧିକାରୀ କହିଛନ୍ତି, ପବିତ୍ର ରମ୍‌ଜାନ୍‌ ମାସରେ ବଡ଼ି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ‘ରୋଜା’ (ଉପବାସ) ରଖିଥିବା ହିନ୍ଦୁ ଅନ୍ତେବାସୀଙ୍କ ଭାବନା ପ୍ରତି ଦୃଷ୍ଟି ଦେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ତେବାସୀମାନେ ନବରାତ୍ରୀ ଉପବାସ ରଖିଛନ୍ତି।

ଜଣେ ଉଚ୍ଚସ୍ତରୀୟ ଜେଲ୍‌ ଅଧିକାରୀ କହିଛନ୍ତି, ମୁଜାଫରନଗର ଜିଲ୍ଲା କାରାଗାରରେ ଥିବା ୩୦୦୦ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ୧୧୦୦ ହିନ୍ଦୁ ଓ ୨୧୮ଜଣ ସଂଖ୍ୟାଲଘୁ ନବରାତ୍ରୀ ଉପବାସ କରୁଛନ୍ତି।

Image Grabbed from video

ଉପବାସ କରୁଥିବା ଅନ୍ତେବାସୀଙ୍କ ଭୋଜନ ଚାହିଦା ପ୍ରତି ଧ୍ୟାନ ଦେଇ ଜେଲ୍‌ କର୍ତ୍ତୃପକ୍ଷମାନେ ମଧ୍ୟ କ୍ୟାଣ୍ଟିନ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ମୁଜାଫର୍‌ନଗର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ସୀତାରାମ ଶର୍ମା କହିଛନ୍ତି, ଉପବାସ କରିଥିବା ଅନ୍ତେବାସୀଙ୍କ ପାଇଁ କ୍ୟାଣ୍ଟିନ୍‌ରେ ନାନାଜାତିର ଫଳ, ଦୁଗ୍ଧ, କୁଟ୍ଟୁ ଅଟାରେ ତିଆରି ପୁରୀ, ଚା ଏବଂ ଅନ୍ୟାନ୍ୟ ଖାଦ୍ୟପାନୀୟ ମିଳୁଛି।

ଉପବାସ କରିଥିବା ଜଣେ ଅନ୍ତେବାସୀ କହିଛନ୍ତି ଯେ, ସଂସ୍କୃତି ଓ ସବୁ ଧର୍ମର ଏକତା ପ୍ରତି ଥିବା ତାଙ୍କର ଅଗାଧ ବିଶ୍ବାସ ହିଁ ତାଙ୍କୁ ଉପବାସ ରଖିବାକୁ ପ୍ରେରିତ କରିଛି। ଜେଲ୍‌ରେ କିଭଳି ସାମ୍ପ୍ରଦାୟିକ ସହାବସ୍ଥାନ ରକ୍ଷା କରାଯାଉଛି ତାହା ଜନସାଧାରଣ ଶିଖିବା ଉଚିତ।

ଆଉ ଜଣେ ଅନ୍ତେବାସୀ କହିଛନ୍ତି, ସାମ୍ପ୍ରଦାୟିକ ସହାବସ୍ଥାନର ଦୃଷ୍ଟାନ୍ତ ସୃଷ୍ଟି କରି ଆମେ ଆନନ୍ଦିତ। ରମ୍‌ଜାନ୍‌ ବେଳେ ହିନ୍ଦୁ ଭାଇମାନେ ଉପବାସ କରି ପାରିଲେ ନବରାତ୍ରୀ ବେଳେ ଆମେ ମଧ୍ୟ ଉପବାସ କରିବୁ। ସ୍ନେହର ପ୍ରତ୍ୟୁତ୍ତର ସ୍ନେହ, ଘୃଣା ନୁହେଁ।

ସମ୍ବନ୍ଧିତ ଖବର