ମିରଟ: ଉତ୍ତରପ୍ରଦେଶର ମିରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ଦମ୍ପତି ନିଜର ନବଜାତ ଯାଆଁଳା କନ୍ୟାଙ୍କୁ ମିରଟର ଜିଲ୍ଲା ହସ୍ପିଟାଲ୍ରେ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି। ଦୁଇ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
କର୍ତ୍ତୃପକ୍ଷ ଏହି ଦୁଇ ଶିଶୁଙ୍କ ବାପାମାଆଙ୍କୁ ଖୋଜିବାରେ ଅସମର୍ଥ ହେବାରୁ ବାଧ୍ୟ ହୋଇ ପିଲାଟିକୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। କୁହାଯାଉଛି ଏହି ଦମ୍ପତି ହେଉଛନ୍ତି ସାମ୍ଲି ଜିଲ୍ଲା ଅନ୍ତର୍ଗତ କୈରାନାର ବାସିନ୍ଦା। ପୁଲିସ୍ ଏହି ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ ଫେବ୍ରୁଆରି ୨୨ ତାରିଖରେ ଗର୍ଭବତୀ ମହିଳା ଜଣକ ମିରଟ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ରେ ତାଙ୍କର ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଓ ତାଙ୍କ ସ୍ବାମୀ ନିଜର ଦୁଇ ଝିଅଙ୍କୁ ହସ୍ପିଟାଲ୍ରେ ଛାଡ଼ି କେଉଁ ଆଡ଼େ ପଳାଇ ଯାଇଛନ୍ତି।
ହସ୍ପିଟାଲ୍ କର୍ମଚାରୀମାନେ ଦମ୍ପତିଙ୍କୁ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ପିଲା ଦୁହିଁଙ୍କର ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ସେମାନଙ୍କୁ ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଶିଶୁ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ସଂପର୍କରେ ଫେବ୍ରୁଆରି ୨୬ ତାରିଖରେ ମେଡିକାଲ୍ କର୍ତ୍ତୃପକ୍ଷ ପୁଲିସ୍ ଓ ଚାଇଲ୍ଡଲାଇନ୍ ଅଧିକାରୀମାନଙ୍କୁ ସୂଚୀତ କରିଥିଲେ। ଚାଇଲ୍ଡଲାଇନ୍ ୱେଲ୍ଫେୟାର କମିଟି ଜୀବିତ ଶିଶୁଟିକୁ ହେପାଜତରେ ନେବା ସହ ତାକୁ ଅନାଥ ଆଶ୍ରମକୁ ପଠାଇବାର ବନ୍ଦୋବସ୍ତ କରୁଛନ୍ତି।