ମିଆମି ବିମାନ ବନ୍ଦରକୁ ଉଡ଼ାଇ ଦେବାର ଧମକ ଦେଇ ଗିରଫ ହେଲେ ଉତ୍ତର ପ୍ରଦେଶରେ ରହୁଥିବା ଯୁବକ, ଏଭଳି ଧମକ ଦେବା ପଛରେ ଥିଲା ଏହି କାରଣ

ଲକ୍ଷ୍ନୌ : ଆମେରିକାର ମିଆମି ବିମାନବନ୍ଦରକୁ ଉଡ଼ାଇଦେବାକୁ ନେଇ ଏକାଧିକ ବାର ଧମକପୂର୍ଣ୍ଣ ଫୋନ କରିଥିବାରୁ ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ଼୍‍ଦ୍ୱାରା ଗିରଫ ହୋଇଛନ୍ତି ଆହ୍ଲାବାଦରେ ରହୁଥିବା ୧୮ବର୍ଷୀୟ ଯୁବକ । ତେବେ ଏଭଳି ପଦକ୍ଷପ ନେବା ପଛରେ ଏକ ବଡ଼ କାରଣ ରହିଥିବା ଜଣା ପଡ଼ିଛି । ଠକାମିର ଶିକାର ହେବା ପରେ ଅଭିଯୁକ୍ତ ଯୁବକଜଣଙ୍କ ଏଭଳି ପଦକ୍ଷପ ନେଇଥିଲେ ବୋଲି ଜାଣିବାକୁ ପାଇଛି ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ଼୍‍ ।

ସୂଚନା ମୁତାବକ, ନିଜ ବାପାଙ୍କଠାରୁ ଟଙ୍କା ନେଇ ସେ ୧୦୦୦ ଆମେରିକୀୟ ଡ଼ଲାର ଦେଇ ଏକ ବିଟ୍‌କଏନ୍‌ କିଣିଥିଲେ । କିନ୍ତୁ ତାହା ନକଲି ଥିଲା । ବିଟ୍‌କଏନ୍‌ଟି ନକଲି ବୋଲି ଜାଣିବା ପରେ ସେ ଫେଡ଼େରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନଥିଲା । ଏଥି ପାଇଁ ସେ ରାଗରେ ମିଆମି ବିମାନବନ୍ଦରକୁ ଫୋନ କରି ମୁଁ ଏକେ ୪୭ ଏବଂ ଗ୍ରେନେଡ଼୍‍ ନେଇ ମିଆମି ବିମାନବନ୍ଦରକୁ ଯିବା ସହ ସମସ୍ତଙ୍କୁ ହତ୍ୟା କରିବି ବୋଲି ଧମକ ଦେଇଥିଲେ ।

India Today

ଅକ୍ଟୋବର ୨ରୁ ଅକ୍ଟୋବର ୩୧ପର୍ଯ୍ୟନ୍ତ ଯୁବକଜଣଙ୍କ ଫେଡ଼େରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ଏଫ୍‌ବିଆଇ)କୁ ଫୋନ କରି ଏଭଳି ଧମକ ଦେଇ ଆସୁଥିଲେ । ଯାହା ପରେ ଏଫ୍‌ବିଆଇ ଏ ନେଇ ନ୍ୟାସ୍‌ନାଲ ଇନ୍‌ଭେଷ୍ଟିଗେସନ୍‌(ଏନ୍‌ଆଇଏ) ଏଜେନ୍ସିକୁ ସବୁ ବିବରଣୀ ଦେବା ପରେ ଏନ୍‌ଆଇଏ ଯୁବକଙ୍କ ଆଇପି ଅଡ଼୍ରେସ୍‌କୁ ଟ୍ରେସ୍‌ କରି ସେ ଆହ୍ଲାବାଦ୍‌ର ବାସିନ୍ଦା ବୋଲି ଜାଣି ପାରିଥିଲା । ପରେ ଯୁବକଙ୍କୁ ଆହ୍ଲାବାଦ୍‌ରୁ ଗିରଫ କରିଥିଲା ଆଣ୍ଟି-ଟେରୋରିଜମ୍‌ ସ୍କ୍ଵାଡ଼୍‍ । ଗିରଫ ହେବା ପରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ଏପରି କରିବା ପଛର କାରଣ ଜଣାଇଥିଲେ ।

ସମ୍ବନ୍ଧିତ ଖବର