ଆତ୍ମସମର୍ପଣ କର, ନଚେତ ଘର ନିଲାମ କରିବୁ : ଦଙ୍ଗାକାରୀଙ୍କୁ ଉତ୍ତରପ୍ରଦେଶ ପୁଲିସର ଚେତାବନୀ

ପ୍ରୟାଗରାଜ : ପ୍ରଫେଟ ବୟାନ ମାମଲାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ହିଂସାକାଣ୍ଡର ଅଭିଯୁକ୍ତମାନଙ୍କ ବିରୋଧରେ ଆହୁରି କଠୋର ହୋଇଛି ୟୁପି ପୁଲିସ । ଯଦି ସେମାନେ ପୁଲିସ ଆଗରେ ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ଘର ନିଲାମ କରିଦିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି ।

ପ୍ରୟାଗରାଜ ଏସଏସପି ଅଜୟ କୁମାର କହିଛନ୍ତି ଦଙ୍ଗା କରିଥିବା ଅଭିଯୁକ୍ତମାନେ ଯଦି ଆତ୍ମସମର୍ପଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବ ଓ ସେମାନଙ୍କ ଘରକୁ ଜବତ କରି ନିଲାମ କରିଦିଆଯିବ ।

ଜୁନ ୧୦ରେ ହୋଇଥିବା ହିଂସାରେ ଏପର୍ଯ୍ୟନ୍ତ ୯୨ ଜଣ ଗିରଫ ହୋଇଛନ୍ତି । ଆଉ ୪୦ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି । ହିଂସାର ସିସିଟିଭି ଭିଡିଓ ମାଧ୍ୟମରେ ଦଙ୍ଗାକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲଗାଯାଇଛି । ଅଜୟ କୁମାର କହିଛନ୍ତି ଯେ ସେମାନେ ପୁଲିସକୁ ଜଣାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିପାରିଥାନ୍ତେ । କିନ୍ତୁ ସେମାନେ ହିଂସା କରିଥିଲେ । ସେମାନେ ନଷ୍ଟ କରିଥିବା କୋଟି କୋଟି ଟଙ୍କାର ସଂପତ୍ତି ସେମାନଙ୍କଠାରୁ ଆଦାୟ କରାଯିବ ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ଏହି ବୟାନକୁ ନେଇ ଗତ ଶୁକ୍ରବାରଦିନ ଭାରତୀୟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ ।

ସମ୍ବନ୍ଧିତ ଖବର