ମହିଳା ବିକ୍ଷୋଭକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୁଲିସ; ଭିଡିଓ ଭାଇରାଲ୍ ହେବା ପରେ ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ

ଲକ୍ଷ୍ନୌ: ଶେଷରେ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ବି ଛାଡ଼ିଲାନି ପୁଲିସ୍ । ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ୟୁପି ପୁଲିସ ଅତ୍ୟନ୍ତ ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଛି । ଏହି ଘଟଣାର ଭିଡିଓ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ମହିଳାଙ୍କୁ  ପିଟିବା ପ‌ରେ ଉକ୍ତ ସ୍ଥାନରେ ଖୋଲାଥିବା ଦୋକାନଗୁଡ଼ିକୁ ବି ଜୋରଜବରଦସ୍ତ ବନ୍ଦ କରିଦେଇଥିଲେ ପୁଲିସ।

ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ଦମନଲୀଲାକୁ ନେଇ ଏବେ ବିରୋଧର ସ୍ବର ଉଠିଛି । ଭିଡ଼ିଓ କ୍ଲିପରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ପୋଲିସ ଗଳିକନ୍ଦିରେ ପଶି ମହିଳାଙ୍କୁ ପିଛା କରିବା ସହ ଜୋରରେ ମାଡ଼ ମାରୁଛି । ୧୭ ସେକେଣ୍ଡର ଏହି ଭିଡ଼ିଓରେ ମହିଳାମାନେ ମାଡ଼ରୁ ରକ୍ଷା ପାଇବା ପାଇଁ ପ୍ରାଣ ବିକଳରେ ଚିତ୍କାର କରୁଛନ୍ତି । ହେଲେ ପୁଲିସବାବୁମାନେ କିଛି ବି ଶୁଣିବାକୁ ନାରାଜ ।

ତେବେ ମହିଳାଙ୍କୁ ମାଡ଼ ମାରୁଥିବା ପୁଲିସକର୍ମୀମାନ ମହିଳା ନା ପୁରୁଷ ତାହା ସ୍ପଷ୍ଟ ଜଣାପଡ଼ୁନାହିଁ ।  ପୁଲିସ୍ ସୂତ୍ର ଅନୁସାରେ ମହିଳା ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ କେବଳ ମହିଳା ପୁଲିସକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ଗତକାଲି ମଧ୍ୟାହ୍ନ ସମୟରେ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା । ଆରମ୍ଭରେ ପ୍ରାୟ ୧୫୦ ଜଣ ମହିଳା ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । କିନ୍ତୁ ରାତି ବଢ଼ିବା କ୍ରମେ ଏହି ସଂଖ୍ୟା ୫୦୦ରେ ପହଞ୍ଚିଥିଲା । ବଢ଼ୁଥିବା ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଦେଖି ପୁଲିସ ଏପରି ଦମନଲୀଳା ଚଳାଇଥିଲା ।

ହେଲେ ପ୍ରଶ୍ନ ଉଠୁଛି, କାର୍ଯ୍ୟାନୁଷ୍ଠାନ ନାମରେ ଏ କି ପ୍ରକାର ନିର୍ଯାତନା ? ସିଏଏକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ୟୁପିରେ ମଧ୍ୟ ଅନେକ ସହରରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି ।  ତେବେ ସାଧାରଣ ଜନତାଙ୍କ ଉପରେ ପୁଲିସର ଏପରି ଜୁଲମ୍ କେତେଦୂର ଯୁକ୍ତିଯୁକ୍ତ ?

ସମ୍ବନ୍ଧିତ ଖବର