ଉତ୍ତରପ୍ରଦେଶର ଗଣଦୁଷ୍କର୍ମ ଘଟଣା: ପରିବାର ଲୋକେ ପୀଡ଼ିତାଙ୍କ ଶବ ଘରକୁ ନେବା ପାଇଁ ଦାବି କରୁଥିବା ବେଳେ ଶବସତ୍କାର କଲା ପୁଲିସ

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହଠରାସ ଗାଁରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଗତକାଲି ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଜଘଣ୍ୟ କାଣ୍ଡରେ ପୀଡ଼ିତାଙ୍କର ମେରୁହାଡ଼ ଭାଙ୍ଗିଯାଇ ଶରୀର ଅଚଳ ହୋଇଯିବା ସହ ଜିହ୍ବାଟି ଛିଣ୍ଡିଯାଇଥିବା ଜଣାଯାଇଥିଲା। ଉତ୍ତରପ୍ରଦେଶର ଏକ ଡାକ୍ତରଖାନାରେ ଆସିୟୁରେ ରହିଲା ପରେ ସୋମବାର ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଚାରି ଜଣ ଯାକ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ଚାଲିବ ବୋଲି ଜଣା ପଡ଼ିଛି। ତେବେ ଏ ମଧ୍ୟରେ ଉତ୍ତରପ୍ରଦେଶ ପୁଲିସ କରିଥିବା ଅମାନବୀୟ କାମ ସାମ୍ନାକୁ ଆସିଛି।

ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ପରିବାର ଲୋକେ ମୃତଦେହକୁ ଘରକୁ ଆଣିବା ପାଇଁ ଚାହୁଁଥିବା ବେଳେ ଉତ୍ତରପ୍ରଦେଶ ପୁଲିସ ବୁଧବାର ରାତି ୨ଟା ୪୫ମିନିଟରେ ପୀଡ଼ିତାଙ୍କ ଶବସତ୍କାର କରି ଦେଇଥିବା ସାମ୍ନାକୁ ଆସିଛି। ଡାକ୍ତରଖାନାରୁ ପୀଡ଼ିତାଙ୍କ ମୃତଦେହ ବାହାରିବା ପରେ ସେଠାରୁ ନେଇ ଉତ୍ତରପ୍ରଦେଶ ପୁଲିସ ଶବସତ୍କାର କରିଥିବା ଜଣା ପଡ଼ିଛି।

The Sentinel Assam

ସୂଚନାନୁଯାୟୀ, ଗତ ୧୪ ତାରିଖରେ ଯୁବତୀ ଜଣକ ନିଜ ଗାଁ କ୍ଷେତରେ ପରିବାର ଲୋକଙ୍କ ସହ ଘାସ କାଟୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅନ୍ୟତ୍ର ନେଇଯାଥିଲେ। ପରିବାର ଲୋକମାନେ ଟିକେ ଦୂରରେ ଥିବା ସମୟରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଉତ୍ତରୀୟକୁ ବେକରେ ଗୁଡ଼ାଇ ଏପରି ଟାଣିନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି। ସେ ନିଖୋଜ ହୋଇଯାଇଥିବା ଜାଣି ତାଙ୍କ ମାଆ ଖୋଜାଖୋଜି କରିବା ପରେ ନିକଟ ବାଜରା କ୍ଷେତରେ ପୀଡ଼ିତାଙ୍କୁ ମୁମୂର୍ଷୁ ତଥା ଉଲଗ୍ନ ଅବସ୍ଥାରେ ପାଇଥିଲେ। ପୀଡ଼ିତାଙ୍କର ମୃତ୍ୟୁ ପାଇଁ ପୁଲିସର ଅବହେଳାକୁ ପରିବାର ଲୋକେ ଦାୟୀ କରିଥିଲେ। ପୁଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ସେମାନେ ଜଣାଇଥିଲେ ବି ଚାରି ପାଞ୍ଚ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର