ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନସ୍ପେକ୍ଟରଙ୍କ ପରିବାରକୁୁ ପୁଲିସ ବିଭାଗ ଦେଲା ୭୦ ଲକ୍ଷ

ଲକ୍ଷ୍ନୌ: ବୁଲନ୍ଦସହର ହିଂସାରେ ପ୍ରାଣ ହରାଇଥିବା ପୁଲିସ ଇନସ୍ପେକ୍ଟର ସୁବୋଧ କୁମାର ସିଂହଙ୍କୁ ଉତ୍ତର ପ୍ରଦେଶ ସରକାର ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ପୁଲିସ ଡିଜି (ମେରଟ୍‌) ପ୍ରଶାନ୍ତ କୁମାର କହିଛନ୍ତି।


ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରରେ ଏକ ଅଘଟଣ ଘଟିଥିଲା। ପୁଲିସ ଥାନା ନିକଟରେ ୨୫ଟି ଗୋମହିଷାଦି ପଶୁଙ୍କର ଶବ ମିଳିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଇନସ୍ପେକ୍ଟର ସୁବୋଧ କୁମାର ସିଂହ ଜନତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ,ମାତ୍ର ତାଙ୍କ ମୁଣ୍ଡରେ ଏକ ପଥର ବାଜିଥିଲା। ତାଙ୍କୁ ତତ୍‌କ୍ଷଣାତ୍‌ କାରରେ ହସ୍ପିଟାଲକୁ ନିଆଯାଇଥିଲା। କାର୍‌ର ପିଛା କରି ଉତ୍ତ୍ୟକ୍ତ ଲୋକେ ଉକ୍ତ ପୁଲିସ ଅଧିକାରୀ ସୁବୋଧ କୁମାର ସିଂହଙ୍କୁ ଗୁଳି କରିଥିଲେ। ତା’ପରେ ସୁବୋଧଙ୍କର ମୃତ୍ୟୁ ଘଟିଥିଲା। ବୁଲନ୍ଦସହର ହିଂସା ମାମଲାରେ ପୁଲିସ ଏଯାଏଁ ୫୩ ଜଣଙ୍କୁ ଗିରଫ କରିସାରିଛି।

ସମ୍ବନ୍ଧିତ ଖବର