ଆଲିଗଡ଼ ବିଶ୍ୱବିଦ୍ୟାଳୟ ହିଂସା, ୧୦୦୦ ଛାତ୍ରଛାତ୍ରୀଙ୍କ ନାଁରେ ମାମଲା ରୁଜ୍ଜୁ କଲା ପୁଲିସ

ଲକ୍ଷ୍ନୌ : ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଗତ ୧୫ ତାରିଖରେ ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ କରିଥିବା ହିଂସାକାଣ୍ଡର ତଦନ୍ତ ଆରମ୍ଭ କରିଛି ପୁଲିସ । ପୁଲିସ ପକ୍ଷରୁ ପ୍ରାୟ ୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି ।

ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଅତ୍ୟାଚାରର ପ୍ରତିବାଦ କରି ଏଏମୟୁ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଥିଲେ । ତେବେ ପରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇଯାଇଥିଲା । ଏହାର ମୁକାବିଲା କରିବାକୁ ଯାଇ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ଏହି ଘଟଣାରେ ଉଭୟ ଛାତ୍ର ଓ ପୁଲିସ କର୍ମଚାରୀମାନେ ଆହତ ହୋଇଥିଲେ । ଏହି ହିଂସାକାଣ୍ଡ ପାଇଁ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ପ୍ରାୟ ୧୦୦୦ ଜଣ ଅଜଣା ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ଗତ ୨୩ ତାରିଖରେ ରାପିଡ ଆକ୍ସନ ଫୋର୍ସ କମାଣ୍ଡାଣ୍ଟ ପୁନୀତ କୁମାର ଏହି ମାମଲା ରୁଜ୍ଜୁ କରିଛନ୍ତି ବୋଲି ଆଲିଗଡ଼ ଏସପି ଆକାଶ କୁହ୍ଲାଡ଼ି କହିଛନ୍ତି । ଡିସେମ୍ବର ୨୪ରେ ପୁଲିସ ପକ୍ଷରୁ ପ୍ରାୟ ୧୨୦୦ ଲୋକଙ୍କ ବିରୁଦ୍ଧରେ ଆଉ ଏକ ମାମଲା ରୁଜ୍ଜୁ ହୋଇଥିଲା । ଏମାନଙ୍କ ମଧ୍ୟରେ ରହିଛନ୍ତି ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ । ଧାରା ୧୪୪ ଉଲ୍ଲଙ୍ଘନ ଅଭିଯୋଗରେ ଏହି ମାମଲା ରୁଜ୍ଜୁ କରାଯାଇଛି ବୋଲି ଆଲିଗଡ଼ ପୁଲିସ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର