ଝିଅ ବିବାହ ପାଇଁ ଟେଣ୍ଟ ବାନ୍ଧିଥିଲେ, ହେଲେ ସିଏଏ ବିରୋଧୀ ବିକ୍ଷୋଭକାରୀମାନେ ଟେଣ୍ଟ ବାନ୍ଧିଥିବା ଭାବି ଭାଙ୍ଗିଦେଲା ପୁଲିସ
ବିଜନୋର (ଉତ୍ତରପ୍ରଦେଶ): ଦିଲ୍ଲୀର ଶାହିନ୍ ବାଗରେ ଦୀର୍ଘ ଅଢ଼େଇ ମାସ ହେଲାଣି ଲୋକେ ସିଏଏ ଓ ଏନଆରସିକୁ ବିରୋଧ କରି ଧାରଣାରେ ବସି ରହିଛନ୍ତି। ଯେପରି କୌଣସି ଅଘଟଣ ନଘଟେ ତାକୁ ଆଖି ଆଗରେ ରଖି ସ୍ଥାନୀୟ ପୁଲିସକୁ ସେଠାରେ ଜଗି ରହିବାକୁ ପଡ଼ୁଛି। ଶାହିନ୍ ବାଗ୍ ଭଳି ପରିସ୍ଥିତି ଉତ୍ତରପ୍ରଦେଶର ସୃଷ୍ଟି ନହେଉ ବୋଲି ଭାବି ରାଜ୍ୟ ପୁଲିସ ଯେଉଁ କାମ କରିଛି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ବନ୍ଧାଯାଇ ସାରିଥିବା ଏକ ଟେଣ୍ଟକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି ପୁଲିସକର୍ମୀ। କିନ୍ତୁ ପରେ ଟେଣ୍ଟଟି ବିବାହ ପାଇଁ ବନ୍ଧା ଯାଇଥିବା ଜାଣିଲା ପରେ ମଧ୍ୟ ପୁଣି ଥରେ ଟେଣ୍ଟ ବାନ୍ଧିବାରେ କୌଣସି ପ୍ରକାରର ସାହାଯ୍ୟ ପୁଲିକର୍ମୀମାନେ କରିନଥିବା ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବିଜନୋର ସହରରେ। ବିବାହ ଉତ୍ସବ ଫେବ୍ରୁଆରି ୪ରେ ହେବାକୁ ଥିବାରୁ ଝିଅର ବାପା ଘର ଆଗରେ ଥିବା ଖାଲି ସ୍ଥାନରେ ଟେଣ୍ଟ ବାନ୍ଧିଥିଲେ। କନ୍ୟାକୁ ଦିଆଯିବାକୁ ଥିବା ବିଭିନ୍ନ ପ୍ରକାରର ଉପହାର ଏବଂ ଅନ୍ୟ ଜରୁରୀ ଜିନିଷ ସବୁ ସେଠାରେ ରଖାଯାଇଥିଲା। ଏହି ସମୟରେ ପୁଲିସ ସେଠାରେ ପହଞ୍ଚି ସିଏଏ ଓ ଏନଆରସିକୁ ବିରୋଧ କରିବା ପାଇଁ ଟେଣ୍ଟ ବନ୍ଧା ଯାଇଥିବା ଭାବି ଟେଣ୍ଟକୁ ଭାଙ୍ଗିବାକୁ ଲାଗିଥିଲେ। ଦିଲ୍ଲୀ ଭଳି ପରିସ୍ଥିତି ଉତ୍ତରପ୍ରଦେଶ ନହେଉ ବୋଲି ଭାବି ପୁଲିସ ଏଭଳି କରିଥିଲା। କିନ୍ତୁ ପରେ ଝିଅର ବାପା ସେଠାରେ ପହଞ୍ଚି ସିଏଏ ଓ ଏନଆରସିକୁ ବିରୋଧ କରିବା ପାଇଁ ନୁହେଁ ବରଂ ଝିଅର ବିବାହ ପାଇଁ ଟେଣ୍ଟ ବନ୍ଧା ଯାଇଥିଲା ବୋଲି କହିଥିଲେ। ସବୁ ଜାଣିବା ପରେ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ ନ କରି ସେଠାରୁ ଚାଲିଆସିଥିଲା ପୁଲିସ, ଯାହା ପରେ ବାଧ୍ୟ ହୋଇ ପୁଣି ଥରେ ଟେଣ୍ଟକୁ ବାନ୍ଧିଥିଲେ ଝିଅର ବାପା।