ନୂଆଦିଲ୍ଲୀ: ଅପରାଧୀମାନଙ୍କୁ ଦମନ କରିବାରେ ସଫଳ ହୋଇଥିବା ଜାଣି ଖୁସିରେ ଉତ୍ତର ପ୍ରଦେଶ ପୁଲିସ ଆଜି ହିନ୍ଦୀ ସିନେମା ‘ଦବଙ୍ଗ୍’ର ଧାଡ଼ିଏ ଲୋକପ୍ରିୟ ଡାଏଲଗ୍ ଟୁଇଟ୍ କରିଛି।
ଗତ କେତେ ସପ୍ତାହ ହେବ ଉତ୍ତର ପ୍ରଦେଶ ପୁଲିସର ଅପରାଧୀ ଦମନ ଅଭିଯାନରେ ୧୨ଟିରୁ ଊର୍ଦ୍ଧ୍ୱ ଏନ୍କାଉଣ୍ଟର୍, ଗିରଫଦାରି ଏବଂ କିଛି ଅପରାଧୀଙ୍କୁ ନିପାତ କରାଯାଇଛି। ସେବେଠାରୁ ବାରମ୍ବାର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ରାଜ୍ୟର ଅନେକ ବ୍ୟକ୍ତିବିଶେଷ ପୁଲିସରେ ଆତ୍ମସମର୍ପଣ କରୁଛନ୍ତି। ଡର, କାଳେ କୌଣସି ଏନ୍କାଉଣ୍ଟର୍ରେ ଜୀବନ ଚାଲିଯିବ।
‘ପୁଲିସ୍ ସେ ନେହିଁ, କ୍ରାଇମ୍ ସେ ଡର୍ ଲଗ୍ତା ହୈ ସାହବ୍’ ଶିରୋନାମା ଥିବା ଟୁଇଟ୍ରେ ପୁଲିସ ସ୍ୱେଚ୍ଛାକୃତ ଭାବେ ଆତ୍ମସମର୍ପଣ କରିଥିବା ଅପରାଧୀମାନଙ୍କ ଫଟୋର କୋଲାଜ୍ ମଧ୍ୟ ପୋଷ୍ଟ୍ କରିଛି।
ଟୁଇଟ୍ର ଶିରୋନାମାଟି ‘ଦବଙ୍ଗ୍’ ସିନେମାରେ ସୋନାକ୍ଷୀ ସିହ୍ନାଙ୍କ ଡାଏଲଗ୍ର କିଛି ଅଂଶ: ‘‘ଥପ୍ପଡ୍ ସେ ଡର୍ ନହିଁ ଲଗ୍ତା ସାହବ, ପ୍ୟାର୍ ସେ ଡର୍ ଲଗ୍ତା ହୈ।’ ଅର୍ଥାତ ଚଟକଣି ମୁଁ ଡରୁ ନାହିଁ, ପ୍ରେମକୁ ଡରୁଛି।
ଉତ୍ତର ପ୍ରଦେଶ ପୁଲିସ୍ର ଟୁଇଟ୍ ହେଲା: ପୁଲିସକୁ ମୁଁ ଡରୁନାହିଁ, ଅପରାଧକୁ ଡରୁଛି।
ଆମେ ସଂସ୍କାର ହେବୁ ଆଉ ଅପରାଧ କରିବୁ ନାହିଁ ଲିଖିତ ପ୍ଲାକାର୍ଡ ଧରି ଉତ୍ତର ପ୍ରଦେଶର ଖଳ ଲୋକେ ଥାନାକୁ ପ୍ରବେଶ କରିବାର ଦିନକ ପରେ ଏମିତି ଟୁଇଟ୍ କରାଯାଇଛି।
पुलिस से नहीं, क्राइम से डर लगता है साहेब !! pic.twitter.com/HXmfRafCzN
— UP POLICE (@Uppolice) February 16, 2018
କେତେକ ଲୁଟ୍ ଏବଂ ନରହତ୍ୟା ମାମଲାରେ ଅଭିଯୁକ୍ତ ସଲିମ ଅଲି ଏବଂ ଇର୍ଶାଦ୍ ଅହମଦ୍ ଧରିଥିବା ପ୍ଲାକାର୍ଡରେ ଲେଖା ଥିଲା: ଭବିଷ୍ୟତରେ ମୁଁ ଆଉ ଅପରାଧରେ ସଂଶ୍ଳିଷ୍ଟ ହେବି ନାହିଁ। କଠୋର ପରିଶ୍ରମ କରି ଭଲ ବାଟରେ ଅର୍ଥ ଉପାର୍ଜନ କରିବି।
ସଲିମ୍ଙ୍କ ପ୍ଲାକାର୍ଡରେ ଲେଖା ଥିଲା: ଅନ୍ୟ ଅପରାଧୀଙ୍କ ପରି ଆମେ ଧରାପଡ଼ିବାକୁ ଚାହୁଁନାହୁଁ। ସପରିବାର ଆମେ ସୁଖରେ ରହିବାକୁ ଚାହୁଁଛୁ।
ଜଣେ କାର୍ ଚୋର ଆପେ ଆପେ ଥାନାକୁ ଚାଲିଆସି ଗିରଫ ହେବାକୁ ପୁଲିସକୁ ନିବେଦନ କଲା। କାରଣ, ଗିରଫ ହୋଇ ସେ ତା’ ପ୍ରତି ଘୋଷଣା କରାଯାଇଥିବା ନଗଦ ୧୫ ହଜାର ଟଙ୍କା ପାଇ ପାରିବ।
ଉତ୍ତର ପ୍ରଦେଶ ପୁଲିସର ଅପରାଧୀ ଦମନଲୀଳାରେ ବିରୋଧୀଦଳ ଅସନ୍ତୁଷ୍ଟ। ମିଛ ଏନ୍କାଉଣ୍ଟର୍ ଆଦେଶ ଦେଇଛନ୍ତି କହି ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ସମାଲୋଚନା କରୁଛି।
ବିରୋଧୀ ଦଳ ଅପରାଧୀଙ୍କୁ ସମବେଦା ଜଣାଉଛି ବୋଲି ଗତକାଲି ଆଦିତ୍ୟନାଥ ଦୋଷାରୋପ କରିଥିଲେ। ପୁଲିସ ଏମିତି ଉପାୟରେ ଦମନଲୀଳା ଚଳାଇବ ବୋଲି ସେ କହିଛନ୍ତି।
୧୨୦୦ ଏନ୍କାଉଣ୍ଟର୍ରେ ସମୁଦାୟ ୪୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରି ନିହତ କରାଯାଇଛି। ଏମିତି ଚାଲିବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି।