ୟୁପି ରାଜନୀତିରେ ନୂଆ ମୋଡ଼: ସପା ମେଣ୍ଟରେ ଯୋଗ ଦେବାକୁ ବସପାକୁ ଅଖିଳେଶଙ୍କ ଖୋଲା ଆମନ୍ତ୍ରଣ

୩୦୦ରୁ ଅଧିକ ଆସନରେ ଜିତିବ ବିଜେପି: ଶାହ

ମିରଟ୍‌ : ସପା (ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ ସପା-ଆର୍‌ଏଲ୍‌ଡି ମେଣ୍ଟରେ ଯୋଗ ଦେବାପାଇଁ ମାୟାବତୀଙ୍କ ବସପା (ବହୁଜନ ସମାଜ ପାର୍ଟି)କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଅଖିଳେଶ ବୁଲନ୍ଦସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବା ସମୟରେ ମାୟାବତୀଙ୍କୁ ତାଙ୍କ ମେଣ୍ଟରେ ଯୋଗ ଦେବାପାଇଁ ଖୋଲା ଆମନ୍ତ୍ରଣ କରିଛନ୍ତି। ମାୟାବତୀ ଏବଂ ତାଙ୍କ ପ୍ରଚାର ସଂକ୍ରାନ୍ତରେ ଅଖିଳେଶଙ୍କୁ ପ୍ରଶ୍ନ କରାଯିବା ବେଳେ ଅଖିଳେଶ କହିଥିଲେ, ଆମେମାନେ ସମସ୍ତେ ଭିନ୍ନ ରଙ୍ଗର ବ୍ୟକ୍ତି। ଆମେ ଲାଲ୍‌, ସବୁଜ ଏବଂ ଧଳା ଅଛୁ। ଆମେ ମଧ୍ୟ ନୀଳ (ବସପା)କୁ ଆମ ସହ ଯୋଗ ଦେବାକୁ ଅନୁରୋଧ କରୁଛୁ। ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ମାୟାବତୀଙ୍କୁ ସପା-ଆରଏଲ୍‌ଡି ମେଣ୍ଟରେ ସାମିଲ ହେବାପାଇଁ ଅନୁରୋଧ କରିଛନ୍ତି। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଅଖିଳେଶଙ୍କ ଅନୁରୋଧ ମାୟାବତୀଙ୍କୁ ସପା-ଆର୍‌ଏଲ୍‌ଡି ମେଣ୍ଟରେ ଯୋଗ ଦେବାପାଇଁ ଏକ ଖୋଲା ଆହ୍ବାନ। କିନ୍ତୁ ସପା ନେତାମାନେ ଉକ୍ତ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଏବଂ ମାୟାବତୀ ହାତ ମିଳାଇଥିଲେ। ଅନ୍ୟପ‌କ୍ଷେ ଅଖିଳେଶ କହିଛନ୍ତି, ଚଳିତ ନିର୍ବାଚନରେ ଏକତା ବନାମ ବିଜେପି ମଧ୍ୟରେ ଲଢ଼େଇ ହେବ। ସପା ବିଜେପିଠାରୁ ଐତିହାସିକ ବିଜୟ ହାସଲ କରିବ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରାଖଣ୍ଡ ପଠାଇବ ବୋଲି ଅଖିଳେଶ କହିଛନ୍ତି।

୩୦୦ରୁ ଅଧିକ ଆସନରେ ଜିତିବ ବିଜେପି: ଶାହ
ଗୋରଖପୁର : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି ୩୦୦ରୁ ଅଧିକ ଆସନରେ ନିର୍ବାଚନ ଜିତିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ‌ଗୋରଖପୁରରେ ବିଜେପି ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ଉତ୍ତରପ୍ର‌ଦେଶରେ ଆମେ ଇତିହାସର ପୁନରାବୃତ୍ତି କରିବାକୁ ଯାଉଛୁ। ୨୦୧୪, ୨୦୧୭ ଏବଂ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିକାଶକୁ ବାଛିଛନ୍ତି ଏବଂ ସଂଖ୍ୟାଗରିଷ୍ଠତା ପ୍ରଦାନ କରିଛନ୍ତି। ଶାହ କହିଛନ୍ତି, ୨୦୧୩ରେ ସେ ଉତ୍ତରପ୍ରଦେଶର ବିଜେପି ମୁଖ୍ୟ ‌ହୋଇଥିବା ବେଳେ ସାମ୍ବାଦିକମାନେ କହିଥିଲେ, ମତେ ଏମିତି ସ୍ଥାନକୁ ପଠାଯାଇଛି ଯେଉଁଠି ଦଳ ୨ ଅଙ୍କ ସଂଖ୍ୟା ବି ଛୁଇଁ ପାରିବନି। କିନ୍ତୁ ବି‌ରୋଧୀ ଦଳ ୨ ଅଙ୍କ ସଂଖ୍ୟା ଛୁଇଁ ପାରିନାହାନ୍ତି। ଯୋଗୀ ସରକାର ଯୋଗୁଁ ସମସ୍ତ ଅସହାୟ ଲୋକଙ୍କ ନିକଟରେ ସମୟ ମଧ୍ୟରେ ବିକାଶ ଯୋଜନା ପହଞ୍ଚି ପାରିଛି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର