ଜନସଂଖ୍ୟା ବିଧେୟକ ୨୦୨୧ର ଡ୍ରାଫ୍ଟ ପ୍ରସ୍ତୁତ କଲେ ୟୁପି ସରକାର, ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜନସଂଖ୍ୟା ବିଧେୟକ ୨୦୨୧ ପ୍ରସ୍ତୁତ କରାଯାଇଛି । ରାଜ୍ୟ ଆଇନ ଆୟୋଗ ଏହାକୁ ଶେଷ ପର୍ଯ୍ୟାୟରେ ଅନୁଧ୍ୟାନ କରିବା ପରେ ସରକାରଙ୍କ ନିକଟରେ ଦାଖଲ କରିବେ । ଏହି ବିଧେୟକ ମୁତାବକ ୨ରୁ ଅଧିକ ପିଲା ଥିବା ଲୋକମାନେ ନା ସରକାରୀ ଚାକିରି କରିପାରିବେ ନା ନିର୍ବାଚନ ଲଢିପାରିବେ । ଏନେଇ ଆୟୋଗ ତରଫରୁ ଡ୍ରାଫ୍ଟକୁ ସରକାରୀ ୱେବସାଇଟରେ ଛଡ଼ାଯିବ ସହ ଜୁଲାଇ ୧୯ ତାରିଖ ମଧ୍ୟରେ ଲୋକଙ୍କ ମତ ଲୋଡାଯାଇଛି ।

ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗଙ୍କ ପ୍ରସ୍ତାବ ମୁତାବକ ରାଜ୍ୟରେ ୨ରୁ ଅଧିକ ପିଲା ଥିବା ଲୋକମାନେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ । ଚାକିରି କରିଥିଲେ ପଦୋନ୍ନତି ମିଳିବ ନାହିଁ । ସରକାରଙ୍କର ୭୭ ଟି ଯୋଜନାର ଲାଭ ବି ସେମାନଙ୍କୁ ମିଳିବ ନାହିଁ । ଏହାସହ ସ୍ଥାନୀୟ ପଞ୍ଚାୟତ ନିର୍ବାଚନ ଲଢିବାକୁ ଅନୁମତି ମିଳିବ ନାହିଁ ।

ଏହି ବିଧେୟକ ଲାଗୁ ହେବା ପରେ ଏକ ବର୍ଷ ମଧ୍ୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରଙ୍କୁ ଏକ ଶପଥ ପତ୍ର ଦେବାକୁ ହେବ । ଆଇନ ଲାଗୁ ହେବା ପରେ ଯଦି କେହି ଏହି ଆଇନର ଅବମାନନା କରନ୍ତି ତେବେ ତାଙ୍କ ନିର୍ବାଚିତ ପଦ ରଦ୍ଦ ହେବ ଓ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ ।

ଅନ୍ୟପଟେ ରାଜ୍ୟରେ ଗୋଟିଏ ପିଲା ଥିବା ବାପା ଓ ମା’ଙ୍କୁ ସରକାର ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବେ । ଯଦି ପରିବାରର ଅବିଭାବକ ସରକାରୀ ଚାକିରି କରୁଛନ୍ତି ତ ତାଙ୍କୁ ବର୍ଦ୍ଧିତ ଦରମା, ପଦୋନ୍ନତି ଭଳି ସୁବିଧାରେ ଅଗ୍ରାଧିକାର ଦିଆଯିବ । ଅନ୍ୟପଟେ ଯଦି ୨ ଟି ପିଲା ଥିବା ଅବିଭାବକ ସରକାରୀ ଚାକିରି କରୁଛନ୍ତି ତେବେ ତାଙ୍କୁ ବିଜୁଳି, ପାଣି, ହାଉସ୍ ଟ୍ୟାକ୍ସରେ କିଛି ଅର୍ଥ ଛାଡ କରାଯିବ ।

ସରକାରୀ ଚାକିରି କରୁଥିବା ଅବିଭାବକଙ୍କର ଗୋଟିଏ ପିଲା ଥିଲେ ପିଲାଟିକୁ ୨୦ ବର୍ଷ ହେବା ଯାଏଁ ସରକାର ମାଗଣା ଚିକିତ୍ସା ଯୋଗାଇ ଦେବେ । ଏହାସହ ଶିକ୍ଷା, ବୀମା ଓ ସରକାରୀ ଚାକିରିରେ ଅଗ୍ରାଧିକାର ମିଳିବ ।

ସମ୍ବନ୍ଧିତ ଖବର