ଅମରୋହା: ଦୁଷ୍କର୍ମକାରୀ ପୁଅ ପାଇଁ ଜଣେ ମହିଳା କ୍ଷମାଭିକ୍ଷା କରିବା ଲାଗି ଦୁଷ୍କର୍ମ ପୀଡ଼ିତାଙ୍କ ଘରକୁ ଯିବାରୁ ତାଙ୍କ ପୁଅକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା କଥା ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ରିପୋର୍ଟ ଅନୁସାରେ, ୨୦୧୯ ମେ ମାସରେ ଜଣେ ୮ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଅମରୋହାରେ ଥିବା ସ୍ବତନ୍ତ୍ର ‘ପ‌ୋକ୍‌ସୋ’ ଅଦାଲତ ଜଣେ ୨୪ ବର୍ଷିୟ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

ଶନିବାର ଦିନ ଅତିରିକ୍ତ ଜିଲ୍ଲା ସରକାରୀ କାଉନ୍‌ସେଲର୍‌ ରତନଲାଲ୍‌ ଲୋଧି କହିଛନ୍ତି, ଝିଅଟି ଘର ସାମନାରେ ଖେଳୁଥିବା ବେଳେ  ଅଭିଯୁକ୍ତ ଯୁବକ ମୂଲଚନ୍ଦ୍‌ ତାକୁ ବାଇକ୍‌ରେ ବସାଇ ଦୂରକୁ ନେଇ ଯାଇଥିଲା। ତା’ ସହିତ ଦୁଷ୍କର୍ମ କରି ପ୍ରମାଣ ନଷ୍ଟ କରିଦେଇଥିଲା। କିନ୍ତୁ, ପୀଡ଼ିତା ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁକଥା କହି ଦେଇଥିଲା। ଅଭିଯୁକ୍ତ ପଡ଼ୋଶୀ ଗ୍ରାମର ହୋଇଥିବାରୁ ଝିଅଟି ତା’ର ନାଁ ଜାଣି ନ ଥିଲା କି, ତାକୁ ଚିହ୍ନି ପାରି ନ ଥିଲା।

publive-image

କିନ୍ତୁ, ଝିଅ ସହିତ ଦୁଷ୍କର୍ମ କରାଯାଇଛି ବୋଲି ଜିଲ୍ଲା ହସ୍ପିଟାଲ୍‌ର ଡାକ୍ତରୀ ମାଇନା ରିପୋର୍ଟରୁ ଜଣାପଡ଼ିଲା। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସେହି ଦିନ ହିଁ ଅଜ୍ଞାତ ଅଭିଯୁକ୍ତଙ୍କ ନାଁରେ ‘ଏଫ୍‌ଆଇଆର୍‌’ କରାଯାଇ ‘ଆଇପିସି’ ଓ ‘ପୋକ୍‌ସୋ ଆଇନ’ ଅନୁଯାୟୀ ମାମଲା ରୁଜୁ କରାଗଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଦୁଷ୍କର୍ମକାରୀଙ୍କୁ କେହି ଦେଖି ନ ଥିବାରୁ ‘ଅଜ୍ଞାତ ବ୍ୟକ୍ତି’ଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। କିନ୍ତୁ, ଏହାର ଅଳ୍ପ ଦିନ ପରେ ଗୋଟାଏ ଅସ୍ବାଭାବିକ ଘଟଣା ଘଟିଲା। ଅଭିଯୁକ୍ତଙ୍କ ମାଆ ସେ ଝିଅ ଘରେ ପହଞ୍ଚି ପୁଅର ନାଁ କହିବା ସହିତ ତାକୁ କ୍ଷମା କରିଦେବାକୁ କହିବାରୁ ମାମଲା ଭିନ୍ନ ମୋଡ଼ ନେଲା।

‘ଏଡିଜିସି’ ଲୋଧି କହିଛନ୍ତି, ପୁଲିସ ଅଭିଯୁକ୍ତ ମୂଲଚନ୍ଦ୍କୁ‌ ଗିରଫ କରି ଜେଲ୍‌ ପଠାଇ ଦେଲା। ୨୦୧୯, ଅକ୍ଟୋବର ୧୯ ତାରିଖ ଦିନ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଗଲା। ଅତିରିକ୍ତ ଜିଲ୍ଲା ଓ ସେସନ୍‌ କୋର୍ଟର ସ୍ବତନ୍ତ୍ର ବିଚାରପତି ସଞ୍ଜୟ କୁମାର ଗତ ଶୁକ୍ରବାର ଦିନ ଅଭିଯୁକ୍ତ ମୂଲଚନ୍ଦକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୬୦,୦୦୦ ଟଙ୍କା ଜରିମାନା କରିଛନ୍ତି।