ବଢ଼ିଲା ଚିନ୍ମୟାନନ୍ଦଙ୍କ ପାଇଁ ଅଡୁଆ, ଦୁଷ୍କର୍ମ ଅଭିଯୋଗ ଆଣିଲେ ଛାତ୍ରୀ

ନୂଆଦିଲ୍ଲୀ: ପୂର୍ବ ବିଜେପି ସାଂସଦ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଅଡୁଆ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଛାତ୍ରୀ ଜଣକ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି | ଛାତ୍ରୀ ଜଣକ ଦିଲ୍ଲୀରେ ଏଫଆଇଆର ଦାଖଲ କରିଥିବା ବେଳେ ଅଭିଯୋଗ ଆଣିଛନ୍ତି ଯେ ସାହାଜାହାନପୁର ପୁଲିସ ତାଙ୍କ ଏତଲା ଗ୍ରହଣ କରୁନାହିଁ | ଏଠାରେ ସୂଚନା ଥାଉ କି ଉତ୍ତରପ୍ରଦେଶର ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ଏସ୍‌ଆଇଟି ଆହ୍ଲାବାଦ୍‌ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରି‌ବେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଉଲ୍ଲେଖ‌ଯୋଗ୍ୟ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଜଣଙ୍କ ଗତ ଅଗଷ୍ଟ ୨୩ ତାରିଖରେ ନିଖୋଜ ହୋଇଯିବା ପରେ ତାଙ୍କ ବାପା ମା’ ପୁଲିସରେ ଅଭିଯୋଗ କରିଥିଲେ। ୨୪ ତାରିଖରେ ସେ ତାଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ଅପଲୋଡ୍‌ କରି ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ତେବେ ଉକ୍ତ ମାମଲାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଶୁଣାଣି ଆରମ୍ଭ କରନ୍ତୁ ବୋଲି ସୁପ୍ରିମକୋର୍ଟର କିଛି ଆଇନଜୀବୀ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କୁ ଅନୁରୋଧ କରି ଆବେଦନ କରିବାପରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିଥିଲେ। ଅନ୍ୟପକ୍ଷେ ଚିନ୍ମୟାନନ୍ଦ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ୩ ଥର ଲୋକସଭା ସାଂସଦ ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ ଜଣେ ରାଜ୍ୟ ମନ୍ତ୍ରୀ ଥିବା ଚିନ୍ମୟାନନ୍ଦ ଏଭଳି ଅଭି‌ଯୋଗ କେବଳ ତାଙ୍କୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ ।

ସମ୍ବନ୍ଧିତ ଖବର