ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କଲା ସୁନ୍ନି ଓ୍ଵାକଫ ବୋର୍ଡ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେଉଥିବାବେଳେ ସୁନ୍ନି ଓ୍ଵାକଫ ବୋର୍ଡ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି । ଏହି ଟ୍ରଷ୍ଟର ନାମ ରଖାଯାଇଛି ଇଣ୍ଡୋ-ଇସ୍ଲାମିକ ସାଂସ୍କୃତିକ ଫାଉଣ୍ଡେସନ ବୋଲି ବୋର୍ଡର ସଭାପତି ଜୁଫାର ଅହମଦ ଫାରୁକି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାର ଧନିପୁର ଗ୍ରାମରେ ମସଜିଦ ନିର୍ମାଣ ପାଇଁ ରାଜ୍ୟ ସରକାର ଓ୍ଵାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ କରିଛନ୍ତି । ଏହି ଜମିରେ ମସଜିଦ ନିର୍ମାଣ ହେବ ।

ଏହି ଫାଉଣ୍ଡେସନ ପକ୍ଷରୁ ୫ ଏକର ଜମିରେ ଏକ ମସଜିଦ, ଏକ ଲାଇବ୍ରେରୀ ଓ ଏକ ହସପିଟାଲ ନିର୍ମାଣ କରାଯିବ । ଗତ ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ। ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୪୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ଅଲ-ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗୋଟିଏ ମାମଲା ଦାଏର ହୋଇଥିବାବେଳେ ହିନ୍ଦୁ ମହାସଭା ପକ୍ଷରୁ ଆଉ ଏକ ପୁନର୍ବିଚାର ମାମଲା ଦାଏର କରାଯାଇଥିଲା । ୪୦ ଜଣ ସମାଜସେବୀ ମଧ୍ୟ ପୁନର୍ବିଚାର ମାମଲା ଦାଏର କରିଥିଲେ ।

ସମ୍ବନ୍ଧିତ ଖବର