୫୦ ଲକ୍ଷ ପର୍ଯ୍ୟନ୍ତ ମାମଲାର ବିଚାର କରିବେ ଜିଲ୍ଲା ଉପଭୋକ୍ତା ଫୋରମ୍‌

ନୂଆଦିଲ୍ଲୀ : ଏଣିକି ଜିଲ୍ଲା ଖାଉଟି ବିବାଦ ମୀମାଂସା ପୀଠ (ଉପଭୋକ୍ତା ଫୋରମ୍‌)ଗୁଡ଼ିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଭିଯୋଗ ଉପରେ ଶୁଣାଣି କରିବେ। ପୂର୍ବରୁ ଏହା ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଥିଲା। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଜିଲ୍ଲା ଉପଭୋକ୍ତା ଫୋରମ୍‌ଗୁଡ଼ିକରେ ପଚାଶ ଲକ୍ଷ ଟଙ୍କା , ରାଜ୍ୟ ଉପଭୋକ୍ତା ଆୟୋଗଗୁଡ଼ିକ ୫୦ ଲକ୍ଷ ଟଙ୍କାରୁ ଦୁଇ କୋଟି ଟଙ୍କା ଏବଂ ଜାତୀୟ ଉପଭୋକ୍ତା ଆୟୋଗ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମାମଲାର ଶୁଣାଣି କରିବେ।

ପୂର୍ବରୁ ଜିଲ୍ଲା ଉପଭୋକ୍ତା ଫୋରମ୍‌ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଅଭିଯୋଗ ଉପରେ ଶୁଣାଣି କରୁଥିଲେ। ସେହିଭଳି ରାଜ୍ୟ ଉପଭୋକ୍ତା ଆୟୋଗ ଏକ କୋଟି ଟଙ୍କାରୁ ଦଶ କୋଟି ଟଙ୍କା ଏବଂ ଜାତୀୟ ଉପଭୋକ୍ତା ଆୟୋଗ ଦଶ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମାମଲାର ବିଚାର କରୁଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଜିଲ୍ଲା ଉପଭୋକ୍ତା ଫୋରମ୍‌ଗୁଡ଼ିକରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଅଭିଯୋଗର ଶୁଣାଣି ବ୍ୟବସ୍ଥା ଥିବା ଯୋଗୁ ମାମଲାଗୁଡ଼ିକର ବୋଝ ପଡ଼ୁଥିଲା। ଏହା ଫଳରେ ମାମଲାଗୁଡ଼ିକର ଫଇସଲାରେ ବିଳମ୍ବ ହେବା ସହ ଅଭିଯୋଗଗୁଡ଼ିକର ସମାଧାନ କରିବାର ଲକ୍ଷ୍ୟ ମଧ୍ୟ ବିଫଳ ହେଉଥିଲା। ଏଥି ପାଇଁ ଜିଲ୍ଲା, ରାଜ୍ୟ ଓ ଜାତୀୟ ଆୟୋଗଗୁଡ଼ିକର ଅଧିକାର କ୍ଷେତ୍ରକୁ ନୂତନ ରୂପେ ନିର୍ଦ୍ଧାରଣ କରାଯାଉଛି। ଯାହା ଫଳରେ ଉପଭୋକ୍ତାମାନଙ୍କ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ହୋଇପାରିବ ବୋଲି କେନ୍ଦ୍ର ସରକାର ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର