ସାହାରନପୁର: ଉତ୍ତରପ୍ରଦେଶର ବିଭିନ୍ନ ସହରରେ ଶୁକ୍ରବାର ନମାଜ ପରେ ହୋଇଥିବା ହିଂସାକୁ ନେଇ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ମଧ୍ୟ ହିଂସା ସୃଷ୍ଟି ପାଇଁ ହୋଇଥିବା ଉଦ୍ୟମକୁ ପୁଲିସ ପଣ୍ଡ କରିଦେଇଛି। ହିଂସାଗ୍ରସ୍ତ ସାହାରନପୁର ଏବଂ କାନପୁରରେ ଉପଦ୍ରବକାରୀଙ୍କ ଘରେ ବୁଲଡୋଜର ଚାଲିବା ଆରମ୍ଭ ହୋଇଛି। ଅଭିଯୁକ୍ତମାନଙ୍କ ଦ୍ବାରା ହୋଇଥିବା ବେଆଇନ ନିର୍ମାଣକୁ ବୁଲ୍ଡୋଜର ଲଗାଇ ଭଙ୍ଗା ଯାଉଥିବା ବେଳେ କେତେକ ସ୍ଥାନରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଏହାର ବିରୋଧ ମଧ୍ୟ ହେଉଛି। ଗତକାଲି ରାଜ୍ୟରେ ପ୍ରଫେଟ ବୟାନକୁ ନେଇ ଘଟିଥିବା ହିଂସା ମାମଲାରେ ମୋଟ ୧୩ଟି ଏଫ୍ଆଇଆର୍ ହୋଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨୩୭ ଜଣଙ୍କୁ ଗିରଫ କରାଯାଇଛି।
ଗତକାଲି ଶୁକ୍ରବାର ନମାଜ ପରେ ପ୍ରୟାଗରାଜ, ମୁରାଦାବାଦ, ସାହାରନପୁର, କାନପୁର ସମେତ ବିଭିନ୍ନ ସହରରେ ଉପଦ୍ରବକାରୀମାନେ ପଥର ମାଡ଼ ସହ ପୋଡ଼ାଜଳା କରିଥିଲେ। ଆଜି ୟୁପି ପୁଲିସ କାନପୁର ହିଂସାର ମାଷ୍ଟରମାଇଣ୍ଡ୍ ନିଜାମ କୁରେସିକୁ ଗିରଫ କରିଛି। ସେ ଭାରତୀୟ ଜମିୟତ ଅଲ୍ କୁରେସ ସଂଗଠନର ସଦସ୍ୟ। ବଡ଼ ଧରଣର ଦଙ୍ଗା ପାଇଁ ନିଜାମ ଯୋଜନା କରିଥିବା ସଂକ୍ରାନ୍ତରେ ବଳିଷ୍ଠ ପ୍ରମାଣ ମିଳିଛି। ଆଜି ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଅୱେସୀ କହିଛନ୍ତି ଯେ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦେଶର ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏହି ମାମଲାରେ ଦେଶର ପ୍ରଧାନମନ୍ତ୍ରୀଙ୍କ ବୟାନ କାହିଁକି ଆସିନାହିଁ ବୋଲି ଅୱେସୀ ପ୍ରଶ୍ନ କରିଛନ୍ତି।